ତେହେରାନ: ଇରାନ–ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଚାବାହାର ବନ୍ଦରରେ ଭାରତର ନିବେଶକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଆମେରିକା ପକ୍ଷରୁ ଚାବାହାର ବନ୍ଦରକୁ ଦିଆଯାଇଥିବା ପ୍ରତିବନ୍ଧକ ଛାଡ଼ ଆସନ୍ତା ଏପ୍ରିଲ ୨୬ରେ ସମାପ୍ତ ହେବାକୁ ଥିବାବେଳେ, ଏହା ନବୀକରଣ ନହେଲେ ଭାରତୀୟ ନିବେଶ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ବ୍ୟକ୍ତ ହେଉଛି।
ଏହି ପରିସ୍ଥିତି ମଧ୍ୟରେ ଭାରତ ସ୍ପଷ୍ଟ କରିଛି ଯେ ଚାବାହାର ବନ୍ଦରରେ ନିଜ ସ୍ୱାର୍ଥ ସୁରକ୍ଷା ପାଇଁ ଆମେରିକା ସହ ନିରନ୍ତର ଆଲୋଚନା ଜାରି ରହିଛି। ଏହା ସହ ଇରାନ ପକ୍ଷରୁ ମଧ୍ୟ ଭାରତ ପ୍ରତି ଦୃଢ଼ ସମର୍ଥନ ଜଣାଯାଇଛି।
ଇରାନ ଜାତୀୟ ସୁରକ୍ଷା କମିସନର ସଦସ୍ୟ ସାଲାର ଭେଲାୟତମାଦ୍ଦର କହିଛନ୍ତି ଯେ, ଚାବାହାର ବନ୍ଦର ଭାରତ–ଇରାନ ସମ୍ପର୍କର ଏକ ମୁଖ୍ୟ ସ୍ତମ୍ଭ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ଏବଂ ଐତିହାସିକ ସମ୍ପର୍କକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଭେଲାୟତମାଦ୍ଦର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ଆମେରିକାର କାର୍ଯ୍ୟକଳାପ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରୁଛି, ଯାହାର ପ୍ରଭାବ ଭାରତ ପରି ବନ୍ଧୁ ଦେଶମାନଙ୍କ ଉପରେ ମଧ୍ୟ ପଡ଼ୁଛି।
ଭାରତ–ଇରାନର ଐତିହାସିକ ସମ୍ପର୍କ
ଇରାନୀ ଅଧିକାରୀ ଭାରତ ଓ ଇରାନ ମଧ୍ୟରେ ଭାଷା, ସଂସ୍କୃତି ଓ ପରମ୍ପରାର ସାମ୍ୟତାକୁ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଗଭୀର ସମ୍ପର୍କ କୌଣସି ବାହ୍ୟ ଚାପରେ ଭାଙ୍ଗିବା ନୁହେଁ। ପାରସ୍ପରିକ ସ୍ୱାର୍ଥ ସୁରକ୍ଷା ପାଇଁ ଚାବାହାର ବନ୍ଦର ସମ୍ପର୍କିତ ଭାରତୀୟ ନିବେଶ ଚୁକ୍ତିକୁ ଇରାନ ଚୂଡ଼ାନ୍ତ କରିଛି ବୋଲି ସେ କହିଛନ୍ତି।
ଭାରତ ପକ୍ଷରୁ ଦିଆଯାଇଥିବା ସାମ୍ପ୍ରତିକ ବିବୃତିକୁ ଯୁକ୍ତିଯୁକ୍ତ ବୋଲି ଉଲ୍ଲେଖ କରି ଭେଲାୟତମାଦ୍ଦର କହିଛନ୍ତି ଯେ, ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉତ୍ତେଜନାମୂଳକ କାର୍ଯ୍ୟ ଏହି ସହଯୋଗକୁ ପ୍ରଭାବିତ କରିବା ଉଚିତ ନୁହେଁ। ଇରାନରେ ସମ୍ପ୍ରତି ଘଟିଥିବା ପ୍ରତିବାଦକୁ ସେ ବିଦେଶୀ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରି ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ଏବେ ପୁଣି ସୁରକ୍ଷା ଓ ସ୍ୱାଭାବିକ ପରିସ୍ଥିତି ଫେରିଆସିଛି।
ତେହେରାନ–ୱାସିଂଟନ ବୟାନ ଯୁଦ୍ଧ ତୀବ୍ର
ଏହି ବିବୃତି ଏମିତି ଏକ ସମୟରେ ଆସିଛି, ଯେତେବେଳେ ପ୍ରତିବାଦ ପରେ ଇରାନ ଓ ଆମେରିକା ମଧ୍ୟରେ ବୟାନବାଜି ଆହୁରି ତୀବ୍ର ହୋଇଛି। ଇରାନ ପକ୍ଷରୁ ଧମକ ଦିଆଯାଇଛି ଯେ, କୌଣସି ହସ୍ତକ୍ଷେପ ଚେଷ୍ଟା ହେଲେ ତାହାର କଠୋର ପ୍ରତିଉତ୍ତର ଦିଆଯିବ। ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ ବିରୋଧରେ କଠୋର ମନ୍ତବ୍ୟ ରଖି ଉତ୍ତେଜନାକୁ ଆହୁରି ବଢ଼ାଇଛନ୍ତି।





