ଦିଗପହଣ୍ଡି, ୨୧।୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା ସହ ନୂତନ ଉନ୍ନୟନ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି।
ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନଙ୍କ ସଂଯୋଜନାରେ ଜକର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଓ ‘ମୋ ବ୍ୟାଙ୍କ’ ସେବା କେନ୍ଦ୍ରର ନୂତନ ଶାଖା କୋଠାର ଉଦଘାଟନ କରିଥିଲେ।
ଏହା ପରେ ସେ ଗ୍ରାମର ଜଗନ୍ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। ପରବର୍ତ୍ତୀକାଳରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ପଞ୍ଚାୟତ ସ୍ତରୀୟ ପଟ୍ଟା ବଣ୍ଟନ ମେଳାରେ ସେ ଯୋଗଦେଇ ଜକର ପଞ୍ଚାୟତ ଅଧୀନ ୫ଟି ଗ୍ରାମର ୨୮୯ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପରମ୍ପରାଗତ ଓ ଦ୍ୱିତୀୟ ଖାନା ସଂଶୋଧିତ ପଟ୍ଟା ବଣ୍ଟନ କରିଥିଲେ। ସେହିପରି ୩ ଜଣ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାନ୍ତନୁ ମହାଙ୍କୁଡ, ଏଡିଓ ଗୀତାଞ୍ଜଳୀ ପଣ୍ଡା, ରାଜସ୍ୱ ନିରୀକ୍ଷିକା ସଞ୍ଜୁକ୍ତା ମହାପାତ୍ର, ବ୍ଲକ ସରପଞ୍ଚ ସଂଘ ସଭାପତି ତଥା କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀଙ୍କ ସହ ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ କୁମାର, ବାପି ପ୍ରଧାନ, ରଘୁନାଥ ଗୌଡ, ମିଟୁ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପଞ୍ଚାୟତ ଅଧୀନ ମାଣିକ୍ୟପୁର ଗ୍ରାମର ଗୋପୀନାଥ କଲ୍ୟାଣ ମଣ୍ଡପ ପାଇଁ ବିଧାୟକ ଶିଳାନ୍ୟାସ କରିଥିଲେ। ପରେ ସେ ତେଣ୍ଟୁଆପଡ଼ା ଗ୍ରାମ ବିଦ୍ୟାଳୟକୁ ପହଞ୍ଚି ନବନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରି ଫେରିଥିବା ଜଣାପଡ଼ିଛି।





