ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରଥମ ‘ପିଏମଶ୍ରୀ ଉତ୍ସବ–୨୦୨୬’ ବୁଧବାର ସଫଳତାର ସହ ଉଦ୍ୟାପିତ ହୋଇଯାଇଛି। ଜିଲ୍ଲାପାଳ ଡ. ମହେଶ୍ୱର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ଅଧିକ ମନୋଯୋଗୀ ହୋଇ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ଶୀର୍ଷସ୍ଥାନରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ସ୍ଥାନୀୟ ଏକଲବ୍ୟ ବିଦ୍ୟାଳୟ ସର୍ବଭାରତୀୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବାକୁ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ କହିଥିଲେ ଯେ ବିକଶିତ ଭାରତ ଗଢ଼ିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର ଶିକ୍ଷା ଉନ୍ନତି ପାଇଁ ଭିତ୍ତିଭୂମି ଓ ବିଭିନ୍ନ ଯୋଜନା ରୂପାୟଣ କରୁଥିବାରୁ ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ କରି ଆଗକୁ ବଢ଼ିବାକୁ ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାକ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ ଆଶାବାଦ ପ୍ରକାଶ କରିଥିଲେ।

ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶର ଭବିଷ୍ୟତ ଭାବେ ଉଲ୍ଲେଖ କରିଥିଲେ। ଶିକ୍ଷା ସହିତ ଶିଷ୍ଟାଚାର, ଦେଶପ୍ରେମ ଓ ସମାଜ ପ୍ରତି ଦାୟିତ୍ୱବୋଧକୁ ଜୀବନର ଅଂଗଭୂତ କରିବାକୁ ସେ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଛାତ୍ରଛାତ୍ରୀମାନଙ୍କୁ ସକରାତ୍ମକ ଚିନ୍ତାଧାରା ଓ ନବୀନ ଧାରଣା ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ଶ୍ରୀକାନ୍ତ ଜାନି, ସୁପ୍ରିୟା ନାୟକ, ଡାବୁଗାଁ ବିଇଓ ରଶ୍ମିତା ନେତମ, ତେନ୍ତୁଳୀଖୁଣ୍ଟି ବିଇଓ ସୁଦୀପ୍ତ ଦାଶ, କୋଷଗୁମୁଡା ବିଇଓ ସୌମେନ୍ଦ୍ର ଭୌମିକ ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଚିତ୍ତରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍ୟାପନୀ ସମାରୋହରେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ, କ୍ରୀଡାଙ୍ଗନ, ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଇକୋ କ୍ଲବ, ‘ଇନ୍ସପାୟରିଂ ଓଡିଶା–୨୦୩୬’ ଓ ‘ନିପୁଣ ଓଡିଶା’ ପ୍ରକଳ୍ପରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅନୁଷ୍ଠାନମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଧନ୍ୟବାଦ ଜ୍ଞାପନ କରିଥିବାବେଳେ, ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ବକୋଦାର ପ୍ରଧାନ ଶିକ୍ଷକ ନରେଶ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ–ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ସଫଳ ହୋଇଥିଲା।