ଭୁବନେଶ୍ୱର: ସୁଭଦ୍ରା ଯୋଜନା ଅଧୀନରେ ଆଜି ରାଜ୍ୟର ୪ ଲକ୍ଷ ୫୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ପ୍ରଦାନ କରିଛନ୍ତି। ଓୟୁଏଟି ପରିସରର କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ୩୧୫ କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଜମା କରାଯାଇଛି।

ଏହି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ, ଦ୍ୱିତୀୟ ଅବଶିଷ୍ଟ ଓ ତୃତୀୟ କିସ୍ତି ପାଇନଥିବା ହିତାଧିକାରୀଙ୍କ ସହିତ ସହ ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଯୋଗ୍ୟ ମହିଳାମାନଙ୍କୁ ସହାୟତା ମିଳିଛି।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାର୍ଷିକ ପ୍ରାୟ ୧୧ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ “ସୁଭଦ୍ରା” ସ୍ୱାଧୀନତା ପରେ ଓଡ଼ିଶାର ସର୍ବବୃହତ୍ ମହିଳା କେନ୍ଦ୍ରିକ ଯୋଜନା। ଏହି ଯୋଜନା ମାଧ୍ୟମରେ ୨୧ରୁ ୬୦ ବର୍ଷ ବୟସର ଏକ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ୫ ବର୍ଷରେ ଦୁଇ କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହେଲେ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

ସେ କହିଥିଲେ, ସରକାର ଗଠନ ହେବା ସହିତ ପ୍ରଥମ ଦିନରେ ଏହି ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଥିଲା ଏବଂ ୨୦୨୪ ସେପ୍ଟେମ୍ବର ୧୭ରେ ପ୍ରଥମ କିସ୍ତି ହିତାଧିକାରୀଙ୍କୁ ଦିଆଯାଇଥିଲା। ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ମହିଳାଙ୍କୁ ତିନୋଟି କିସ୍ତିରେ ୧୫ ହଜାର କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଦୁଇଟି କିସ୍ତି ଦେବାର ବ୍ୟବସ୍ଥା ରହିଛି।

ମହିଳା ସଶକ୍ତିକରଣ ସମ୍ପର୍କରେ କହି ମୁଖ୍ୟମନ୍ତ୍ରୀ କହିଥିଲେ, ଆର୍ଥିକ ସ୍ୱାଧୀନତା ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଏ ଓ ପରିବାର–ସମାଜରେ ତାଙ୍କର ଭୂମିକାକୁ ମଜବୁତ କରେ। ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ଭାବେ ଦୁର୍ବଳ, ଗ୍ରାମାଞ୍ଚଳ, ଆଦିବାସୀ ଓ ସହରାଞ୍ଚଳର ଗରିବ ପରିବାରର ମହିଳାମାନଙ୍କୁ ସମର୍ଥନ ଦିଆଯାଉଛି, ଯାହାର ଲକ୍ଷ୍ୟ ହେଉଛି ବିକାଶ ଯାତ୍ରାରେ କାହାକୁ ମଧ୍ୟ ପଛରେ ରଖିବା ନୁହେଁ।

କାର୍ଯ୍ୟକ୍ରମରେ ୫ ଜଣ ସଫଳ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରି ଚେକ୍‌ ପ୍ରଦାନ କରିଥିଲେ। ଏହି ଅବସରରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।