ଦୁବାଇ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ୱକପରୁ ବାଂଲାଦେଶକୁ ବାଦ କରିଛି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)। ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍‌କୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି।

ସୂତ୍ରମତେ, ବିଶ୍ୱକପରେ ଅଂଶଗ୍ରହଣ ସମ୍ପର୍କରେ ନିଜର ସ୍ପଷ୍ଟ ଓ ଔପଚାରିକ ମତ ଜଣାଇବା ପାଇଁ ଆଇସିସି ପକ୍ଷରୁ ବାଂଲାଦେଶକୁ ୨୪ ଘଣ୍ଟା ସମୟସୀମା ଦିଆଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ବାଂଲାଦେଶ ପକ୍ଷରୁ କୌଣସି ଔପଚାରିକ ନିଷ୍ପତ୍ତି ଜଣାଯାଇନଥିଲା। ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି।

ନୂତନ ବ୍ୟବସ୍ଥା ଅନୁସାରେ ସ୍କଟଲାଣ୍ଡ୍‌ ଏବେ ଗ୍ରୁପ୍–ସିରେ ବାଂଲାଦେଶର ସ୍ଥାନ ନେବ। ଏହି ଗ୍ରୁପରେ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ, ନେପାଳ ଓ ଇଟାଲି ଅନ୍ତର୍ଭୁକ୍ତ ଅଛନ୍ତି। ତେବେ ଏହି ସିଦ୍ଧାନ୍ତ ସମ୍ପର୍କରେ ସ୍କଟଲାଣ୍ଡ୍‌କୁ ଔପଚାରିକ ଭାବେ ସୂଚିତ କରାଯାଇଛି କି ନାହିଁ, ସେଥିପାଇଁ ଆଇସିସି ପକ୍ଷରୁ ସ୍ପଷ୍ଟ ବିବୃତ୍ତି ଆସିନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସର ଆରମ୍ଭରେ ଆଇପିଏଲ୍‌ ଦଳ କୋଲକାତା ନାଇଟ୍‌ ରାଇଡର୍ସରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର୍‌ ରହେମାନଙ୍କୁ ବାଦ ଦିଆଯିବା ପରେ ବାଂଲାଦେଶ ଭାରତରେ ବିଶ୍ୱକପ ଖେଳିବାକୁ ଅସ୍ୱୀକାର କରିଥିଲା। ସେଥିସହ ଭାରତରେ ହେବାକୁ ଥିବା ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଆଇସିସିଙ୍କୁ ଅନୁରୋଧ କରିଥିଲା।

ବିଶ୍ୱକପ ଆରମ୍ଭ ହେବାକୁ ଅତ୍ୟଳ୍ପ ସମୟ ବାକି ଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି ସ୍ପଷ୍ଟ କରିଥିଲା। ତଥାପି ବାଂଲାଦେଶ ନିଜ ଅବସ୍ଥାନରେ ଅଟଳ ରହିଥିଲା। ଏହା ପରେ ଗତ ୨୧ ତାରିଖରେ ଶେଷଥର ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲେ ମଧ୍ୟ ବାଂଲାଦେଶ ପକ୍ଷରୁ କୌଣସି ପରିବର୍ତ୍ତିତ ନିଷ୍ପତ୍ତି ଆସିନଥିଲା।