ଭୁବନେଶ୍ୱର: ମୃତ୍ୟୁ ସହ ଦୀର୍ଘ ସଂଘର୍ଷ ପରେ ଶେଷରେ ଜିତିଲେ ମଣିଷ। କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣାରେ ଚିତାବାଘ ଆକ୍ରମଣରୁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଜଣେ ସାହସୀ ଯୁବକ।

ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଅନନ୍ତପ୍ରସାଦ ଗାଁ ନିକଟରେ ଥିବା ଜୟପୁର ସ୍ଥିତ ଏକ ଫାର୍ମହାଉସରେ ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିଲା। ଫାର୍ମହାଉସରେ ଥିବା କୁକୁରମାନେ ହଠାତ୍ ଭୁକିବାକୁ ଆରମ୍ଭ କରିଥିଲେ। ଘଟଣା କଣ ଘଟୁଛି ଜାଣିବା ପାଇଁ ଶୁଭ୍ରାଂଶୁ ଭୋଳ ନାମକ ଯୁବକ ଗେଟ୍ ଖୋଲିବା ସହିତ ଏକ କଲରା ପତାରିଆ ଚିତାବାଘ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା।

ଏହା ପରେ ଚିତାବାଘ ଓ ଯୁବକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଭୟାବହ ସଂଘର୍ଷ ଚାଲିଥିଲା। ଚିତାବାଘର ନଖ ଓ ଦାନ୍ତର ଆକ୍ରମଣରେ ଶୁଭ୍ରାଂଶୁ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ସାହସ ହରାଇନଥିଲେ। ଜୀବନ ବଞ୍ଚାଇବାକୁ ନିଜର ସମସ୍ତ ଶକ୍ତି ଲଗାଇ ସେ ପ୍ରତିରୋଧ ଜାରି ରଖିଥିଲେ।

ସଂଘର୍ଷ ସମୟରେ ରୋଷେଇଘରରେ ଥିବା ଏକ ଧାରୁଆ ଛୁରୀ ତାଙ୍କ ହାତକୁ ଆସିବା ପରେ ସେହି ଛୁରୀରେ ଚିତାବାଘକୁ ପ୍ରତିରୋଧ କରି ଆକ୍ରମଣରୁ ନିଜକୁ ବଞ୍ଚାଇଥିଲେ। ଏହି ସଂଘର୍ଷରେ ଚିତାବାଘର ମୃତ୍ୟୁ ଘଟିଥିବା ବେଳେ ଶୁଭ୍ରାଂଶୁଙ୍କୁ ଗୁରୁତର ଆହତ ଅବସ୍ଥାରେ ସଙ୍ଗେସଙ୍ଗେ କଟକକୁ ଚିକିତ୍ସା ପାଇଁ ରେଫର କରାଯାଇଥିଲା।

ଘଟଣାସ୍ଥଳକୁ ବନ ବିଭାଗ ପହଞ୍ଚି ଚିତାବାଘର ମୃତଦେହ ଉଦ୍ଧାର କରିଛି। ବନ ବିଭାଗ ସୂଚନା ଅନୁସାରେ, ଚିତାବାଘଟି ଆକ୍ରମଣ ପୂର୍ବରୁ ଫାର୍ମହାଉସରେ ଥିବା ଏକାଧିକ ବାଇକ୍ ଓ ଟ୍ରାକ୍ଟରକୁ କ୍ଷତିଗ୍ରସ୍ତ କରିଥିଲା ଏବଂ ପୂର୍ବରୁ ଆହତ ଅବସ୍ଥାରେ ଏହି ଅଞ୍ଚଳରେ ଘୁରିବୁଲୁଥିଲା ବୋଲି ସନ୍ଦେହ କରାଯାଉଛି।