ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ସାଇବର୍ ଠକେଇ ମାମଲାକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ‘ଡିଜିଟାଲ୍ ଆରେଷ୍ଟ’ ନାମରେ ହୋଇଥିବା ଏକ ବଡ଼ ସାଇବର୍ ଠକେଇ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, କେନ୍ଦ୍ରୀୟ ତଦନ୍ତ ବିଭାଗ (CBI) ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)କୁ ନୋଟିସ୍ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ୭୮ ବର୍ଷିୟ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ନରେଶ ମଲହୋତ୍ରା ଏହି ସାଇବର୍ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ଇନଫୋର୍ସମେଣ୍ଟ ଡିରେକ୍ଟରେଟ୍ (ED) ଓ CBI ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କୁ ପ୍ରାୟ ଗୋଟିଏ ମାସ ଧରି ‘ଡିଜିଟାଲ୍ ଆରେଷ୍ଟ’ରେ ରଖିଥିଲେ।
ଅଭିଯୋଗ ଅନୁସାରେ, ଠକମାନେ ନରେଶ ମଲହୋତ୍ରାଙ୍କ ଆଧାର କାର୍ଡ, ଡ୍ରଗ୍ସ ଚାଲାଣ, ଆତଙ୍କବାଦୀଙ୍କୁ ଅର୍ଥ ସହାୟତା ଏବଂ ପୁଲଵାମା ଆତଙ୍କୀ ଆକ୍ରମଣ ସହ ସମ୍ପୃକ୍ତ ଥିବା ଭଳି ମିଥ୍ୟା ଅଭିଯୋଗ ଆଣି ଭୟଭୀତ କରିଥିଲେ। ତଦନ୍ତର ନାମରେ ତାଙ୍କୁ ଘରୁ ବାହାରିବାକୁ ମନା କରାଯାଇଥିଲା ଏବଂ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ବାଧ୍ୟ କରାଯାଇଥିଲା।
ପ୍ରାୟ ଏକ ମାସ ମଧ୍ୟରେ ଠକମାନେ ନରେଶ ମଲହୋତ୍ରାଙ୍କଠାରୁ ୨୨.୯୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ପରେ ନିଜେ ଠକାମୀର ଶିକାର ହୋଇଥିବା ଅନୁଭବ କରି ନରେଶ ସାଇବର ଥାନାରେ ଅଭିଯୋଗ କରିଥିଲେ, ଯାହା ପରେ ମାମଲାଟି ସାମ୍ନାକୁ ଆସିଥିଲା।
ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, CBI ଓ RBIକୁ ନୋଟିସ୍ ଜାରି କରି ସାଇବର୍ ଠକେଇ ରୋକିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି, ସେଥିପାଇଁ ସ୍ପଷ୍ଟିକରଣ ମାଗିଛନ୍ତି।





