ରାଉରକେଲା/ଭୁବନେଶ୍ବର: ନୀତି-ଭିତ୍ତିକ ଶାସନ ଓ ସ୍ପଷ୍ଟ ରଣନୀତି ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଉରକେଲାରେ ଆୟୋଜିତ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା ୨୦୨୬’ କାର୍ଯ୍ୟକ୍ରମରେ ଶିଳ୍ପଦ୍ୟୋଗୀ ଓ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ଅବସରରେ ସେ ଏହା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩୫,୮୮୦ କୋଟି ଟଙ୍କା ମୂଲ୍ୟର ୨୩ଟି ନୂଆ ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଦ୍ୱାରା ରାଜ୍ୟରେ ୧୧,୮୪୪ରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ସହ ରାଜ୍ୟର ସମସ୍ତ ଅଞ୍ଚଳରେ ସମାବେଶୀ ଶିଳ୍ପ ଅଭିବୃଦ୍ଧି ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ପଶ୍ଚିମ ଓଡ଼ିଶାକୁ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ମୂଳ ଇଞ୍ଜିନ ଭାବେ ଗଢ଼ି ତୋଳାଯିବ ବୋଲି ସେ ଉଲ୍ଲେଖ କରିଥିଲେ।

ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ରୌପ୍ୟ ଜୟନ୍ତୀ ଅବସରରେ ୫,୭୦୮ କୋଟି ଟଙ୍କା ନିବେଶର ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିବା ବେଳେ, ଏଥିରୁ ୪,୧୮୩ ନୂତନ ନିଯୁକ୍ତି ସୃଷ୍ଟି ହେବ। ସେହିପରି ୩,୧୭୬ କୋଟି ଟଙ୍କା ନିବେଶରେ ୯ଟି ନୂଆ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଇଛି।

କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ତିନିଟି ରାଉଣ୍ଡଟେବୁଲ୍‌ ବୈଠକରେ ରାଉରକେଲା ଚାମ୍ବର ଅଫ୍‌ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ ନିର୍ମାତା ସଂଘ ଓ ରାଞ୍ଚି–ରାୟପୁରରୁ ଆସିଥିବା ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିରେ ମୋଟ ୪୩,୩୪୯ କୋଟି ଟଙ୍କା ମୂଲ୍ୟର ୨୨ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ, ୮,୬୭୭ କୋଟି ଟଙ୍କାର ୫ଟି ନୂଆ ନିବେଶ ପ୍ରସ୍ତାବ ଆସିଛି। ଏହାର ମୋଟ ପୁଞ୍ଜିନିବେଶ ୫୨,୦୨୬ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ, ୨୦,୪୨୭ ନୂତନ ଚାକିରି ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌କୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ସ୍ଥାପିତ ହେବାକୁ ଥିବା ବାର୍ଷିକ ୩ ମିଲିଅନ୍ ଟନ୍ କ୍ଷମତାର ସ୍ମେଲଟର୍‌ ଓ ୪,୯୦୦ ମେଗାୱାଟ୍‌ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ ପାଇଁ ୧,୪୪୭.୯୨୭ ଏକର ଜମି ହସ୍ତାନ୍ତର ପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ନିବେଶକମାନଙ୍କ ଆଗ୍ରହକୁ ଶୀଘ୍ର ପ୍ରକଳ୍ପରେ ପରିଣତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ପ୍ରମୁଖ ଶିଳ୍ପଗୋଷ୍ଠୀ, ନିବେଶକ ଓ ସିଆଇଆଇର ପ୍ରତିନିଧିମାନେ ଯୋଗଦେଇଥିଲେ।