ଭୁବନେଶ୍ବର: ପୁରୀର ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍‌ରେ ଚଳିତ ମାସ ୨୪ ଓ ୨୫ ତାରିଖରେ ଦୁଇଦିନ ଧରି ଆୟୋଜିତ ରାଜ୍ୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ଉପକନିଷ୍ଠ ବର୍ଗରେ କୁନି ଜିମ୍ନାଷ୍ଟ ସୁବିଦିତା ବାଗ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ସେ ଆସନ୍ତା ଜାତୀୟ ଓପନ୍‌ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଜିମ୍ନାଷ୍ଟିକ୍ସ ହାଇ ପର୍ଫର୍ମାନ୍ସ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୨ ବର୍ଷୀୟା ସୁବିଦିତା କଟକ ଜିଲ୍ଲାର ପ୍ରତିନିଧିତ୍ୱ କରି ଏହି ସଫଳତା ହାସଲ କରିଛନ୍ତି।

୧୩ ବର୍ଷରୁ କମ୍‌ ବର୍ଗର ଅନ୍‌ଇଭିନ୍‌ ବାର୍‌ ଇଭେଣ୍ଟ୍‌ରେ ସେ ସ୍ବର୍ଣ୍ଣ ପଦକ ଓ ଟେବୁଲ୍‌ ଭଲ୍‌ଟ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ୨୦୨୪ ମସିହାରେ କୋରାପୁଟ ଜିଲ୍ଲାର ଜୟପୁରରେ ଆୟୋଜିତ ରାଜ୍ୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ସୁବିଦିତା ଟେବୁଲ୍‌ ଭଲ୍‌ଟରେ କାଂସ୍ୟ ପଦକ ଜିତି ଓଡ଼ିଶାର ସର୍ବକନିଷ୍ଠ ଜିମ୍ନାଷ୍ଟ ଭାବେ ପରିଚିତି ହାସଲ କରିଥିଲେ।

ସୁବିଦିତା ହେଉଛନ୍ତି ଆଡଭୋକେଟ୍‌ ସସ୍ମିତା ବାଗ୍‌ ଓ ବିକ୍ରମ ବାଗଙ୍କ ସୁପୁତ୍ରୀ। ନିଜର ଅକ୍ଳାନ୍ତ ପରିଶ୍ରମ, ଶୃଙ୍ଖଳାବଦ୍ଧ ଜୀବନଶୈଳୀ, ଏକାଗ୍ରତା ଓ ଦୃଢ଼ ସମର୍ପଣ ଭାବ ଜରିଆରେ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଅଧିକ ଗୌରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି କୁହାଯାଇଛି।