ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଜାରି କରାଯାଇଥିବା ଜାତିଭିତ୍ତିକ ଭେଦଭାବ ରୋକିବା ସଂକ୍ରାନ୍ତ ନୂଆ ନିୟମକୁ ନେଇ ଦେଶବ୍ୟାପୀ ବିରୋଧ ମଧ୍ୟରେ ସୁପ୍ରିମକୋର୍ଟ ଏହାକୁ ଚ୍ୟାଲେଞ୍ଜ କରୁଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ବୁଧବାର ଏହି ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ଶୀର୍ଷ ନ୍ୟାୟାଳୟ ରାଜି ହୋଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଆବେଦନ ଉପସ୍ଥାପିତ ହୋଇଥିବାବେଳେ ଆବେଦନକାରୀ ପକ୍ଷରୁ ଦାବି କରାଯାଇଛି ଯେ, ୟୁଜିସିର ଏହି ନୂଆ ନିୟମ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟକାରୀ ଏବଂ ଏହା ସମତା ନୀତିକୁ ଆଘାତ କରୁଛି।

ଅନ୍ୟପଟେ, ମାମଲା ସମ୍ପର୍କରେ ଅବଗତ ଥିବା କଥା ଉଲ୍ଲେଖ କରି ଖଣ୍ଡପୀଠ ପିଆଇଏଲ୍‌ରେ ଥିବା କିଛି ପ୍ରାକ୍ରିୟାଗତ ତ୍ରୁଟି ସଂଶୋଧନ କରିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରି ୧୩ ତାରିଖରେ ୟୁଜିସି ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬’ ଜାରି କରିଥିଲା। ଏହି ନିୟମ ଅନୁଯାୟୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଭିତ୍ତିକ ଭେଦଭାବ ରୋକିବା ପାଇଁ ସ୍ୱତନ୍ତ୍ର କମିଟି, ହେଲ୍ପଲାଇନ୍ ଓ ମନିଟରିଂ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କମିଟିରେ ଏସ୍‌ସି, ଏସ୍‌ଟି, ଓବିସି, ପିଡବ୍ଲ୍ୟୁଡି ବର୍ଗ ସହିତ ମହିଳା ସଦସ୍ୟଙ୍କୁ ସାମିଲ କରିବା ବାଧ୍ୟତାମୂଳକ କରାଯାଇଛି। ନୂଆ ନିୟମ ଚାଲୁ ହେଲେ ୟୁଜିସିର ପୂର୍ବ ନିୟମଗୁଡ଼ିକୁ ପ୍ରତ୍ୟାହାର କରାଯିବ।