ଇସଲାମାବାଦ: ଭାରତୀୟ ସେନାର ‘ଅପରେସନ୍‌ ସିନ୍ଦୂର’ ପାକିସ୍ତାନ ପାଇଁ ଏକ ଭୟଙ୍କର ଆଘାତ ସାବିତ ହୋଇଛି। ଏହି ସାମରିକ ଅଭିଯାନ ପରେ ପାକିସ୍ତାନର ସେନାଶକ୍ତି ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ବିଶ୍ୱ ସାମରିକ ରାଙ୍କିଂ ତାଲିକାରେ ଦେଶଟିର ସ୍ଥାନ ଆହୁରି ତଳକୁ ଖସିଛି। ଏହା ପାକିସ୍ତାନର ଦୁର୍ବଳ ରକ୍ଷା ସ୍ଥିତିକୁ ସ୍ପଷ୍ଟ କରୁଛି।

ପୂର୍ବରୁ ହିଁ ଗୁରୁତର ଆର୍ଥିକ ସଂକଟ ମଧ୍ୟରେ ରହିଥିବା ପାକିସ୍ତାନ ପାଇଁ ସାମରିକ ଖର୍ଚ୍ଚ ଏବେ ଏକ ବଡ଼ ସମସ୍ୟା ହୋଇଉଠିଛି। ସୀମିତ ପାଣ୍ଠି ଥିବାରୁ ଦେଶଟି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ରୟ, ସେନାଙ୍କ ଉନ୍ନତ ତାଲିମ ଓ ପ୍ରଯୁକ୍ତିକ ଉନ୍ନତି ଉପରେ ଯଥେଷ୍ଟ ଧ୍ୟାନ ଦେଇପାରୁନାହିଁ। ଅପରେସନ୍‌ ସିନ୍ଦୂର ପରେ ଯେଉଁ ସାମରିକ ସ୍ଥିତି ଟିକେ ଭଲ ଥିଲା, ସେଥିରେ ମଧ୍ୟ ଗଭୀର ଅବନତି ଦେଖାଯାଇଛି।

ଚତୁର୍ଥ ସ୍ଥାନରେ ଭାରତୀୟ ସେନା

ବିଶ୍ୱ ସାମରିକ ରାଙ୍କିଂରେ ଆମେରିକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କ୍ରମଶଃ ରୁଷ ଏବଂ ଚୀନ୍‌ ରହିଛନ୍ତି। ଭାରତ ଏହି ତାଲିକାରେ ଚତୁର୍ଥ ସ୍ଥାନ ଦାବି କରିଛି। ଏହା ଭାରତୀୟ ସେନାର ସାମର୍ଥ୍ୟ, ପ୍ରସ୍ତୁତି ଓ ରଣନୀତିକ ସକ୍ଷମତାକୁ ପ୍ରତିବିମ୍ବିତ କରୁଛି।

ଭାରତର ବିଶାଳ ସେନାବାହିନୀ, ଶକ୍ତିଶାଳୀ ବାୟୁସେନା ଓ ସୁଦୃଢ଼ ନୌସେନା ଦେଶର ସାମରିକ ଶକ୍ତିର ମୂଳ ଆଧାର। ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସହ ଦେଶୀୟ ପ୍ରତିରକ୍ଷା ଉତ୍ପାଦନ, ସୈନିକଙ୍କ ତାଲିମ ଓ ନୂତନ ପ୍ରଯୁକ୍ତି ଗ୍ରହଣ ଉପରେ ଭାରତ ନିରନ୍ତର ଗୁରୁତ୍ୱ ଦେଇଆସୁଛି। ଏହାର ପରିଣାମ ସ୍ୱରୂପ ଭାରତ ଯେକୌଣସି ସାମରିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।