ଜୟପୁର,୩୦।୧: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗରେ ରାଜସ୍ଥାନ ପୁଲିସ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ସୀମାନ୍ତ ଜିଲ୍ଲା ଜୈସଲମେରରୁ ତାଙ୍କୁ ଧରାଯାଇଥିବା ବେଳେ, ସେ ଦେଶବିରୋଧୀ କାର୍ଯ୍ୟରେ ଜଡିତ ଥିବା ପୁଲିସ ତଦନ୍ତରୁ ପ୍ରକାଶ ପାଇଛି।

ରାଜ୍ୟ ପୁଲିସର ଗୁଇନ୍ଦା ବିଭାଗର ଏଡିଜି ପ୍ରଫୁଲ୍ଲ କୁମାରଙ୍କ କହିବାନୁସାରେ, ପାକିସ୍ତାନୀ ଗୁଇନ୍ଦା ନେଟୱାର୍କର କାର୍ଯ୍ୟକଳାପ ଉପରେ ଦୀର୍ଘଦିନ ଧରି ସତର୍କ ନଜର ରଖାଯାଉଥିଲା। ଏହି ସମୟରେ ପୋଖରାନର ସାଙ୍କରା ଥାନା ଅଞ୍ଚଳ ଅଧୀନ ନେଦାନ ଗ୍ରାମର ବାସିନ୍ଦା ଝାବ୍ରରାମଙ୍କ ସନ୍ଦେହଜନକ ଚଳଚଳନ ପୁଲିସ ଦୃଷ୍ଟିକୁ ଆସିଥିଲା।

ପରବର୍ତ୍ତୀ ତଦନ୍ତରେ ଜଣାପଡ଼ିଛି ଯେ, ଅଭିଯୁକ୍ତ ପାକିସ୍ତାନ ସଂପୃକ୍ତ କିଛି ସୋସିଆଲ ମିଡିଆ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କ ରଖିଥିଲେ। ସେ ଭାରତୀୟ ସେନା ସମ୍ବନ୍ଧୀୟ କିଛି ସମ୍ବେଦନଶୀଳ ତଥ୍ୟ ସେୟାର କରୁଥିବା ସନ୍ଦେହ ପ୍ରକାଶ ପାଇଛି। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ତାଙ୍କ ମୋବାଇଲ ଫୋନ୍‌ର ଯାଞ୍ଚରୁ ଏହା ମଧ୍ୟ ସୂଚିତ ହୋଇଛି ଯେ, ଅଭିଯୁକ୍ତ ହନିଟ୍ରାପ୍‌ର ଶିକାର ହୋଇଥିବା ସମ୍ଭାବନା ରହିଛି। ଅର୍ଥଲୋଭରେ ସେ ଏହି ପ୍ରକାର କାର୍ଯ୍ୟରେ ଜଡିତ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।