କୋଝିକୋଡ୍, ୩୦।୧: ଭାରତର ପ୍ରସିଦ୍ଧ ଧାବିକା ଓ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାନେତ୍ରୀ ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଅକାଳ ଦେହାନ୍ତ ଘଟିଛି। ଶୁକ୍ରବାର ସକାଳେ ହୃଦ୍ଘାତ ହେବା ପରେ ତାଙ୍କୁ ହସ୍ପିଟାଲକୁ ନେଇଯାଉଥିବା ସମୟରେ ସେ ପରଲୋକ ଗମନ କରିଥିବା ସୂଚନା ମିଳିଛି। ମୃତ୍ୟୁବେଳେ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ଶ୍ରୀନିବାସନ ସିଆଇଏସଏଫର ଡିଏସପି ଭାବେ କାର୍ଯ୍ୟରତ ଥିବା ପରେ ଅବସର ଗ୍ରହଣ କରିଥିଲେ। ତାଙ୍କର କୋଝିକୋଡ୍ରେ ସ୍ଥାପିତ ‘ଉଷା ସ୍କୁଲ୍ ଅଫ୍ ଆଥଲେଟିକ୍ସ’ର ଉନ୍ନତି ଓ ପ୍ରଚାରରେ ବଡ଼ ଅବଦାନ ରହିଥିଲା। ଏହି ପ୍ରଶିକ୍ଷଣ କେନ୍ଦ୍ରରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ତିଆରି ହୋଇଛନ୍ତି।
ପିଟି ଉଷାଙ୍କ କ୍ରୀଡା ଜୀବନ ସହିତ ସାମାଜିକ ଓ ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ଶ୍ରୀନିବାସନଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି। ତାଙ୍କର ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଦେଶର ବିଭିନ୍ନ ମହଳରୁ ଶୋକ ବ୍ୟକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ପ୍ରକାଶ କରି ଶ୍ରୀନିବାସନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସଜେଏଫଆଇ) ଓ ଓଡିଶା କ୍ରୀଡା ସାମ୍ବାଦିକ ସଂଘ (ଓଏସଜେଏ) ମଧ୍ୟ ତାଙ୍କର ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସୂଚନାନୁସାରେ, ୨୦୨୬ରେ ଭୁବନେଶ୍ୱରରେ ଆୟୋଜିତ ଏସଜେଏଫଆଇର ଜାତୀୟ ସମ୍ମିଳନୀରେ ପିଟି ଉଷା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀନିବାସନ ମଧ୍ୟ ଓଡିଶା ଆସିଥିଲେ। ତାଙ୍କ ଦେହାନ୍ତରେ କ୍ରୀଡା ମହଳରେ ଶୋକର ଛାୟା ଛାଇଯାଇଛି।





