ରାଉରକେଲା, ୩୦।୧: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଆସନ୍ତା ଫେବ୍ରୁଆରି ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୁଷ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ଗୁଡିକ ଆୟୋଜିତ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଦର୍ଶକମାନେ ମାଗଣାରେ ମ୍ୟାଚ୍‌ ଉପଭୋଗ କରିପାରିବେ। ଏନେଇ ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ତେବେ ଷ୍ଟାଡିୟମ୍‌କୁ ପ୍ରବେଶ ପାଇଁ ଦର୍ଶକମାନେ ପୂର୍ବରୁ ଅନ୍‌ଲାଇନ୍‌ରେ ଟିକଟ୍‌ ପଞ୍ଜୀକରଣ କରିବା ଆବଶ୍ୟକ।

ଏହି ପଞ୍ଜୀକରଣ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ହକିପ୍ରେମୀମାନେ ‘ଟିକଟ୍‌ଜିନି’ ୱେବ୍‌ସାଇଟ୍‌ ମାଧ୍ୟମରେ ମାଗଣା ଭର୍ଚୁଆଲ୍‌ ଟିକଟ୍‌ ବୁକ୍‌ କରିପାରିବେ। ପଞ୍ଜୀକରଣ ସମ୍ପୂର୍ଣ୍ଣ ହେଲେ ଦର୍ଶକଙ୍କୁ ଡିଜିଟାଲ୍‌ ଟିକଟ୍‌ ମିଳିବ ଏବଂ ସେହି ଟିକଟ୍‌ ଦେଖାଇ ଷ୍ଟାଡିୟମ୍‌କୁ ପ୍ରବେଶ କରିପାରିବେ।

ଏଥିରେ ବିଶ୍ୱ ହକିର ତିନି ଶକ୍ତିଶାଳୀ ଦଳ—ଆୟୋଜକ ଭାରତ ସହିତ ବେଲଜିୟମ୍‌ ଓ ଆର୍ଜେଣ୍ଟିନା—ଅଂଶଗ୍ରହଣ କରିବେ। ତିନୋଟି ଦଳ ପରସ୍ପର ମଧ୍ୟରେ ଦୁଇଟି କରି ମ୍ୟାଚ୍‌ ଖେଳିବେ। ଦୀର୍ଘ ସମୟ ପରେ ରାଉରକେଲାରେ ପୁଣିଥରେ ଅନ୍ତର୍ଜାତୀୟ ହକି ଫେରୁଥିବାରୁ ଖେଳପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି।

ହକି ଇଣ୍ଡିଆ ସଭାପତି ଡ଼. ଦିଲୀପ ତିର୍କି କହିଛନ୍ତି ଯେ, ରାଉରକେଲା ସଦା ହକି ପ୍ରତି ଅସାଧାରଣ ଭଲପାଇବା ପ୍ରଦର୍ଶନ କରିଆସୁଛି। ମାଗଣା ପ୍ରବେଶ ବ୍ୟବସ୍ଥା ମାଧ୍ୟମରେ ଅଧିକ ସଂଖ୍ୟକ ପ୍ରଶଂସକ, ବିଶେଷକରି ଯୁବ ଖେଳାଳି ଓ ପରିବାରମାନେ ଉଚ୍ଚସ୍ତରୀୟ ଅନ୍ତର୍ଜାତୀୟ ହକି ଦେଖିବାର ସୁଯୋଗ ପାଇବେ।

ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି ଯେ, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଭାରତୀୟ ଖେଳାଳିଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରତିଦ୍ବନ୍ଦ୍ବିତାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଦର୍ଶକରେ ଭରିଥିବା ଷ୍ଟାଡିୟମ୍‌ ଖେଳାଳିଙ୍କୁ ବିଶେଷ ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି।

ପ୍ରୋ-ଲିଗ୍‌ ମ୍ୟାଚ୍‌ ସୂଚୀ:

  • ୧୦ ଫେବ୍ରୁଆରି: ବେଲଜିୟମ୍‌ ବନାମ ଆର୍ଜେଣ୍ଟିନା
  • ୧୧ ଫେବ୍ରୁଆରି: ଭାରତ ବନାମ ବେଲଜିୟମ୍‌
  • ୧୨ ଫେବ୍ରୁଆରି: ଭାରତ ବନାମ ଆର୍ଜେଣ୍ଟିନା
  • ୧୩ ଫେବ୍ରୁଆରି: ଆର୍ଜେଣ୍ଟିନା ବନାମ ବେଲଜିୟମ୍‌
  • ୧୪ ଫେବ୍ରୁଆରି: ଭାରତ ବନାମ ବେଲଜିୟମ୍‌
  • ୧୫ ଫେବ୍ରୁଆରି: ଭାରତ ବନାମ ଆର୍ଜେଣ୍ଟିନା

ହକି ଇଣ୍ଡିଆ ପକ୍ଷରୁ ରାଜ୍ୟ ଓ ରାଜ୍ୟବାହାର ପ୍ରଶଂସକମାନଙ୍କୁ ଏହି ହକି ଉତ୍ସବରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଛି।