ଲକ୍ଷ୍ଣୌ, ୩୧।୧: ନିଜ ବିବାଦିତ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥିବା ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣିଥରେ ଖବରରେ ଆସିଛନ୍ତି। ଉତ୍ତର ପ୍ରଦେଶର ବାନ୍ଦାରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ମୁସଲମାନ ସମୁଦାୟ ପ୍ରତି ଅସଦ୍ବ୍ୟବହାର କରି ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ସମ୍ଭବ ନୁହେଁ।

ଶାସ୍ତ୍ରୀ କହିଛନ୍ତି ଯେ, ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ହିନ୍ଦୁ ସମାଜକୁ ନିଜ ତ୍ରୁଟିଗୁଡ଼ିକ ସୁଧାରିବା ଆବଶ୍ୟକ। ସେ ଜାତିବାଦକୁ ତ୍ୟାଗ କରି ସମସ୍ତ ହିନ୍ଦୁମାନେ ଏକତାର ସୂତ୍ରରେ ବାନ୍ଧିବାକୁ ଆହ୍ୱାନ କରିଥିଲେ। ସନାତନ ଧର୍ମର ମୂଲ୍ୟବୋଧକୁ ଅନୁସରଣ କରି ସମାଜର ଅନ୍ତର୍ନିହିତ ଅସମାନତାକୁ ଦୂର କରିବା ଦରକାର ବୋଲି ସେ କହିଥିଲେ।

ବିଜେପି ବିଧାୟକ ପ୍ରକାଶ ଦ୍ୱିବେଦୀଙ୍କ ନିବାସସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶାସ୍ତ୍ରୀ ଭକ୍ତମାନଙ୍କ ସହ ଆଲୋଚନା କରିଥିଲେ। ସେ ହିନ୍ଦୁ ସମାଜର ଏକତା ଓ ସମାଜିକ ସମରସତା ଉପରେ ଗୁରୁତ୍ୱ ଦେଇ ତାଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଉଲ୍ଲେଖ କରିଥିଲେ।

ସମାଜରେ ଶାନ୍ତି ଓ ସମ୍ମିଳିତ ସହଅସ୍ତିତ୍ୱ ପାଇଁ ପାରସ୍ପରିକ ସମ୍ମାନ ଓ ଆଇନର ପାଳନ ଆବଶ୍ୟକ ବୋଲି ମଧ୍ୟ ସେ କହିଥିଲେ। ଏହି ସମୟରେ ସେ ଅନ୍ୟ ଧର୍ମର କିଛି ପ୍ରଥାକୁ ଉଦାହରଣ ଭାବେ ଉଲ୍ଲେଖ କରି, ଭାରତରେ ବିବାହ ବିଚ୍ଛେଦ ପ୍ରକ୍ରିୟା ଦୀର୍ଘ ଓ ଆଇନଗତ ଭାବେ ଜଟିଳ ଥିବାକୁ ଉଲ୍ଲେଖ କରିଥିଲେ।