ଯୋରନ୍ଦା, ୩୧।୧: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଅବସରରେ ଆୟୋଜିତ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଶନିବାର ଆରମ୍ଭ ହୋଇଛି। ମେଳାରେ ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟ ଓ ପଡ଼ୋଶୀ ଦେଶ ନେପାଳରୁ ଆସିଥିବା ସାଧୁସନ୍ନ୍ୟାସୀ ଓ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ଝାଡ଼ଦର୍ଶନ ପାଇଁ ପ୍ରାୟ ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଜଣାପଡ଼ିଛି।
ମେଳା ଅବସରରେ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ବିଭିନ୍ନ ଧାର୍ମିକ ନୀତିକାର୍ଯ୍ୟ ସଂପନ୍ନ ହୋଇଥିଲା। ସମସ୍ତ ଆଶ୍ରମ ଓ ଭଜନ ମଣ୍ଡପରେ ଅହୋରାତ୍ର ଭଜନ ଓ କୀର୍ତ୍ତନ ଚାଲିଥିବାରୁ ସମଗ୍ର ଯୋରନ୍ଦା ଅଞ୍ଚଳ ଭକ୍ତିମୟ ପରିବେଶରେ ମହିମାନ୍ୱିତ ହୋଇଉଠିଛି।
ଶନିବାର ଭୋରରୁ ମହିମା ସ୍ୱାମୀଙ୍କ ପ୍ରାତଃ ନୀତି ଓ ବେଢ଼ା ପରିକ୍ରମା କରାଯାଇଥିଲା। ପରେ ଅବକାଶ ସ୍ତୁତି ପ୍ରାର୍ଥନା ଓ ଭିକ୍ଷା ଭଜନ ପାଠ ହୋଇଥିଲା। ଅହ୍ମଣିଆ ମଣ୍ଡପରେ ୭ଜଣ ତ୍ୟାଗୀ ୭ଟି ମାଟିହାଣ୍ଡିରେ ଅହ୍ମଣିଆ ଅର୍ପଣ କରିଥିଲେ। ଏହାପୂର୍ବରୁ ବ୍ରାହ୍ମମୁହୂର୍ତ୍ତରେ ମନ୍ଦିରଗୁଡ଼ିକର ଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ଆଣି ମନ୍ଦିର ପରିସରକୁ ପବିତ୍ର କରାଯାଇଥିଲା।
ମଧ୍ୟାହ୍ନ ସମୟରେ ନୀତିବାବାମାନଙ୍କ ଦ୍ୱାରା ମଧ୍ୟାହ୍ନ ନୀତି ପାଳନ ହୋଇଥିଲା। ପରେ ସଂଧ୍ୟାନୀତି ଓ ବିଭିନ୍ନ ଧାର୍ମିକ ପରମ୍ପରା ପାଳନ କରାଯାଇଥିଲା। ୨୪ ଜଣ ବଳ୍କଳଧାରୀ ସନ୍ନ୍ୟାସୀ ମନ୍ଦିର ପରିସରରେ ଚାମର ସେବା କରିଥିଲେ।
ସଂଧ୍ୟା ପରେ ମହିମା ସମାଜ ସଭାପତି ଶୁକଦେବ ବାବା ଗାଦିମନ୍ଦିର ପଶ୍ଚିମ ପାର୍ଶ୍ୱର ଝାଡ଼ରେ ଅଗ୍ନି ସଂଯୋଗ କରି ମେଳାର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମନ୍ଦିରର ଅନ୍ୟ ତିନୋଟି ଦ୍ୱାରର ଝାଡ଼ରେ ମଧ୍ୟ ଅଗ୍ନି ସଂଯୋଗ କରାଯାଇଥିଲା।
ଏହି ସମୟରେ ଭକ୍ତମାନେ ମାନସିକ ଘିଅ ଓ ନଡ଼ିଆ ଧୁନିରେ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଶୂନ୍ୟମନ୍ଦିର, ସ୍ମୃତିମନ୍ଦିର ଓ ଅନ୍ୟାନ୍ୟ ପୀଠରେ ମଧ୍ୟ ପରମ୍ପରାନୁସାରେ ଝାଡ଼ ପ୍ରଜ୍ୱଳନ କରାଯାଇଥିଲା।





