ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଲୋକଭବନକୁ ଯାଇ ରାତ୍ରି ବିଶ୍ରାମ କରିବେ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଫେବୃଆରି ୩ ତାରିଖ ସକାଳେ ସେ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁରକୁ ଯିବେ। ନୂଆ ପ୍ରଶାସନିକ ଭବନ ହେଲିପ୍ୟାଡ୍‌ରେ ଅବତରଣ ପରେ ମା’ ବିରଜା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ପ୍ରାୟ ଦେଢ଼ ଘଣ୍ଟା ସମୟ ମନ୍ଦିରରେ ବିତାଇବା ପରେ ସେ ବାଲେଶ୍ୱର ଯାଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ସେ ପୁରୀ ଯିବେ। ସେଠାରେ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଆଳତି ଦର୍ଶନ ସହ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଲୋକଭବନରେ ସେ ରାତିରେ ବିଶ୍ରାମ କରିବେ।

ଫେବୃଆରି ୪ ତାରିଖ ସକାଳ ୯ଟାରେ ପୁରୀରୁ ରବାନା ହୋଇ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପହଞ୍ଚିବେ। ସେଠାରେ ମହୁଲଡିହା ଅଞ୍ଚଳରେ ହଲିଡେ ହୋମ୍‌ର ଉଦ୍ଘାଟନ କରିବେ। ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ କରିବେ। ଏହା ସହିତ ଭର୍ଚୁଆଲ୍‌ ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିବେ।

ଗସ୍ତ ସମୟରେ ମୟୂରଭଞ୍ଜର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ପରେ ଭୁବନେଶ୍ୱରକୁ ଫେରିବେ ଏବଂ ହୋଟେଲ୍‌ ମେ’ଫେୟାରରେ ଆୟୋଜିତ ଏକ ଅନୁଷ୍ଠାନରେ ଉପସ୍ଥିତ ହେବେ। ଫେବୃଆରି ୭ ତାରିଖ ସକାଳେ ସେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ଛତିଶଗଡ଼ ଯିବେ ବୋଲି ସୂଚନା ମିଳିଛି।