ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରି ମାସରେ ଦେଶର ସମଗ୍ର ଜିଏସ୍‌ଟି ଆଦାୟ ୧,୯୩,୩୮୪ କୋଟି ଟଙ୍କାକୁ ପହଞ୍ଚିଛି। ପୂର୍ବବର୍ଷ ଜାନୁଆରି ମାସରେ ଏହି ରାଶି ୧,୮୨,୦୯୪ କୋଟି ଟଙ୍କା ଥିଲା। ଏହାଫଳରେ ବର୍ଷକୁ ବର୍ଷ ଆଧାରରେ ଆଦାୟରେ ୬.୨ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି।

ଅର୍ଥନୈତିକ କାର୍ଯ୍ୟକଳାପର ଗତି ବଢ଼ିବା ଓ ବ୍ୟବସାୟିକ ଲେନଦେନ ବୃଦ୍ଧି ପାଇଁ ଜିଏସ୍‌ଟି ସଙ୍ଗ୍ରହରେ ଏହି ଉନ୍ନତି ଦେଖାଯାଇଛି। ଜାନୁଆରି ମାସରେ ନିଟ୍‌ ଜିଏସ୍‌ଟି ଆଦାୟ ୧,୭୦,୭୧୯ କୋଟି ଟଙ୍କା ରହିଥିବା ବେଳେ, ଏହା ଗତବର୍ଷ ସମୟସୀମା ତୁଳନାରେ ୭.୬ ପ୍ରତିଶତ ଅଧିକ।

ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଜାନୁଆରି ଅବଧି ମଧ୍ୟରେ ମୋଟ ଜିଏସ୍‌ଟି ଆଦାୟ ୮.୩ ପ୍ରତିଶତ ବୃଦ୍ଧି ସହ ୧୮,୪୩,୪୨୩ କୋଟି ଟଙ୍କାକୁ ପହଞ୍ଚିଛି। ଏହି ସମୟରେ ନିଟ୍‌ ଆଦାୟ ମଧ୍ୟ ୬.୮ ପ୍ରତିଶତ ବଢ଼ି ୧୫,୯୫,୭୫୨ କୋଟି ଟଙ୍କା ହୋଇଛି।

ଅନ୍ୟପଟେ, ଜାନୁଆରି ମାସରେ କ୍ଷତିପୂରଣ ସେସ୍‌ ଆଦାୟରେ ଲକ୍ଷଣୀୟ ହ୍ରାସ ଦେଖାଯାଇଛି। ପୂର୍ବବର୍ଷ ଜାନୁଆରିରେ ଏହା ୧୩,୦୦୯ କୋଟି ଟଙ୍କା ଥିବା ବେଳେ ଚଳିତବର୍ଷ ଏହା କମି ୫,୭୬୮ କୋଟି ଟଙ୍କାରେ ସୀମିତ ରହିଛି।