ୱାସିଂଟନ: ପ୍ରଯୁକ୍ତି ଓ ମହାକାଶ କ୍ଷେତ୍ରରେ ଏଲନ୍ ମସ୍କଙ୍କ ନୂଆ ରଣନୀତି ନେଇ ବିଶ୍ୱ ବଜାରରେ ଚର୍ଚ୍ଚା ଜୋରଦାର ହୋଇଛି। ସ୍ପେସଏକ୍ସ ଓ କୃତ୍ରିମ ବୁଦ୍ଧିମତ୍ତା ଷ୍ଟାର୍ଟଅପ୍ xAI ମଧ୍ୟରେ ରଣନୀତିଗତ ସହଯୋଗ କିମ୍ବା ମିଳନ ସମ୍ଭାବନା ନେଇ ସୂଚନା ଆସୁଥିବାବେଳେ, ମସ୍କଙ୍କ ଟେକ୍ ଇକୋସିଷ୍ଟମ୍କୁ ଏକ ଛତା ତଳେ ଆଣିବା ଯୋଜନା ଉପରେ ଆଲୋଚନା ବଢ଼ିଛି।
ସମ୍ପର୍କିତ ସୂତ୍ରମାନଙ୍କ କହିବା ଅନୁଯାୟୀ, ଏଆଇ ପ୍ଲାଟଫର୍ମ, ସ୍ୟାଟେଲାଇଟ୍ ଇଣ୍ଟରନେଟ୍ ଓ ମହାକାଶ ପ୍ରଯୁକ୍ତିକୁ ଏକତ୍ର କରି ଭବିଷ୍ୟତମୁଖୀ ପ୍ରୋଡକ୍ଟ ଓ ସେବା ଉନ୍ନତ କରିବା ମସ୍କଙ୍କ ଲକ୍ଷ୍ୟ। xAI ର ଏଆଇ ଚାଟବଟ୍ ‘ଗ୍ରୋକ୍’ ଓ ସ୍ପେସଏକ୍ସର ସ୍ୟାଟେଲାଇଟ୍ ନେଟୱର୍କ ‘ଷ୍ଟାରଲିଙ୍କ’ ପରସ୍ପର ସହଯୋଗରେ କାମ କରିପାରେ ବୋଲି ଅନୁମାନ କରାଯାଉଛି।
ମସ୍କ ପୂର୍ବରୁ ମହାକାଶ ଭିତ୍ତିକ ଡାଟା ସେଣ୍ଟର ଓ ହାଇ-ପର୍ଫର୍ମାନ୍ସ କମ୍ପ୍ୟୁଟିଂ ନେଇ ଦୃଷ୍ଟିକୋଣ ରଖିଥିବା କଥା ଉଲ୍ଲେଖ କରିଛନ୍ତି। ଏହି ପରିପ୍ରେକ୍ଷିତରେ ଏଆଇ ଓ ମହାକାଶ ପ୍ରଯୁକ୍ତିର ଯୁଗଳବନ୍ଧୀ ଭବିଷ୍ୟତର ଡିଜିଟାଲ୍ ଢାଞ୍ଚାକୁ ନୂଆ ଦିଗ ଦେଇପାରେ ବୋଲି ବିଶେଷଜ୍ଞମାନଙ୍କ ମତ।
ଏହା ସହିତ, ମସ୍କଙ୍କ ପକ୍ଷରୁ ଭବିଷ୍ୟତରେ ଏକ ବଡ଼ ଟେକ୍ ଆଇପିଓ ଆଣିବା ଯୋଜନା ନେଇ ମଧ୍ୟ ବଜାରରେ ଅଟକଳ ଚାଲିଛି। ତେବେ ସ୍ପେସଏକ୍ସ କିମ୍ବା xAI ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ ପୂର୍ଣ୍ଣ ମିଳନ ସମ୍ପର୍କିତ ଘୋଷଣା ହୋଇନାହିଁ।





