ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ହେବାକୁ ଥିଲା। କିନ୍ତୁ ଗୃହରେ ଦିନଭରି ହଟ୍ଟଗୋଳ ଓ ହୋହଲ୍ଲା ହେବାରୁ ସଭା କାର୍ଯ୍ୟ ବାରମ୍ବାର ମୁଲତବୀ ହୋଇଥିଲା ଏବଂ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସ୍ଥଗିତ ହୋଇଯାଇଛି।
ସୂଚନାନୁଯାୟୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ସେନାମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀର ଅଂଶ ଉଲ୍ଲେଖ କରିବାକୁ ଅନୁମତି ନମିଳିବାକୁ କେନ୍ଦ୍ର କରି ବିରୋଧୀ ସାଂସଦମାନେ ଉତ୍ତେଜିତ ହୋଇଥିଲେ। ଏଥିସହ ୮ ଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ମଧ୍ୟ ଗୃହରେ ପ୍ରତିବାଦ ଜାରି ରହିଥିଲା।
ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ତାଲିକାଭୁକ୍ତ ଥିଲା। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେବା ସହିତ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇ ମଧ୍ୟଭାଗକୁ ପ୍ରବେଶ କରିଥିଲେ। କେତେକ ବିରୋଧୀ ମହିଳା ସାଂସଦ ପ୍ରଧାନମନ୍ତ୍ରୀଙ୍କ ଆସନ ଦିଗକୁ ଯାଇ ପ୍ରତିବାଦ କରିଥିବା ଅଭିଯୋଗ ବିଜେପି ପକ୍ଷରୁ କରାଯାଇଛି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ସଭାକୁ ମୁଲତବୀ କରାଯାଇଥିଲା।
ବିରୋଧୀ ସାଂସଦମାନେ ‘ଜୋ ଉଚିତ ଲଗେ ୱ କରୋ’ ଲେଖାଥିବା ବ୍ୟାନର ଧରି ପ୍ରତିବାଦ କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ଏଥିରେ ସାମିଲ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଗୃହରେ ଉପସ୍ଥିତ ନଥିଲେ।
ଅନ୍ୟପକ୍ଷରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଗାନ୍ଧୀ ପରିବାର ସମ୍ପର୍କିତ ଟିପ୍ପଣୀକୁ ନେଇ ବିବାଦ ଉତ୍ପନ୍ନ ହୋଇଥିଲା। ଏନେଇ ବିରୋଧୀ ଓ ବିଜେପି ସାଂସଦମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଫିସ୍ରେ ମୁହାଁମୁହିଁ ହୋଇଥିଲେ। ବିରୋଧୀ ସାଂସଦମାନେ ଦୁବେଙ୍କ ବକ୍ତବ୍ୟ ବିରୋଧରେ ଆପତ୍ତି ଜଣାଇ ଅଭିଯୋଗ ଦାଖଲ କରିଥିଲେ।
ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନଭରି ଲୋକସଭା କାର୍ଯ୍ୟ ସାଧାରଣ ଭାବେ ଚାଲିପାରିନଥିଲା ଏବଂ ଗୃହକୁ ତୃତୀୟ ଥର ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।





