ହରାରେ: ଜିମ୍ବାୱେର ହରାରେରେ ଚାଲୁଥିବା ଅଣ୍ଡର–୧୯ କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ରେ ଆଫଗାନିସ୍ତାନ ଭାରତ ସମ୍ମୁଖରେ ୩୧୧ ରନ୍ର ବୃହତ୍ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟକୁ ଭାରତ ପୂରଣ କରିପାରିଲେ ନକ୍ଆଉଟ୍ ପର୍ଯ୍ୟାୟରେ ଦଳର ସର୍ବାଧିକ ସଫଳ ପଶ୍ଚାତଧାବନ ରେକର୍ଡ ହେବ। ଏପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ଭାରତର ସର୍ବୋଚ୍ଚ ପଶ୍ଚାତଧାବନ ୨୪୫ ରନ୍, ଯାହା ୨୦୨୪ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିଲା।
ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ ବାଛିଥିଲା। ପ୍ରଥମ ୧୦ ଓଭରର ପାୱାରପ୍ଲେ’ରେ ସାବଧାନ ଖେଳ ଦେଖାଇ ଦଳ ବିନା କ୍ଷତିରେ ୪୨ ରନ୍ କରିଥିଲା। ପ୍ରଥମ ୱିକେଟ୍ ୫୩ ରନ୍ରେ ପତନ ହେବା ପରେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍ମାନେ ଭଲ ଭାଗୀଦାରୀ ଗଢ଼ି ଭାରତୀୟ ବୋଲିଂକୁ ଚାପରେ ରଖିଥିଲେ।
ଫୈଜଲ ସିନୋଜାଦା ଓ ଉଜେଇରୁଲ୍ଲା ନୀଲାଜାଇ ତୃତୀୟ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୪୮ ରନ୍ର ସଂଯୋଗ କରି ଦଳକୁ ଶକ୍ତ ଅବସ୍ଥାନରେ ପହଞ୍ଚାଇଥିଲେ। ସିନୋଜାଦା ୮୬ଟି ବଲ୍ରୁ ଶତକ ପୂରଣ କରିଥିଲେ। ପରେ ୪୬ତମ ଓଭରରେ ଦୀପେଶ ଦେବେନ୍ଦ୍ରନ୍ ତାଙ୍କୁ ଆଉଟ୍ କରିଥିଲେ। ଅନ୍ୟପଟେ ନୀଲାଜାଇ ଶେଷ ଓଭରରେ ନିଜ ଶତକ ପୂରଣ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ବୋଲର୍ମାନଙ୍କ ମଧ୍ୟରୁ ଦୀପେଶ ଦେବେନ୍ଦ୍ରନ୍ ଓ କନିଷ୍କ ଚୌହାନ ଦୁଇଟି କରି ୱିକେଟ୍ ନେଇଥିଲେ, କିନ୍ତୁ ଅନ୍ୟମାନେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।





