ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ଇତିହାସ ଏବଂ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବି କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଇରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ସେ କହିଥିଲେ, ଏହି ଅଞ୍ଚଳ ଦେଶର ପ୍ରଥମ ନାଗରିକଙ୍କ ଜନ୍ମମାଟି ଓ ପ୍ରଥମ କର୍ମଭୂମି ହେବାରୁ ଏଠାରେ ତାଙ୍କୁ ସ୍ୱାଗତ କରିବା ଗର୍ବ ଓ ଗୌରବର ବିଷୟ।
ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ନଭେମ୍ବର ୨୭ ତାରିଖରେ ରାଜ୍ୟ ବିଧାନସଭାରେ ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା। ସେଥିରେ ରାଷ୍ଟ୍ରପତି ଜନପ୍ରତିନିଧିମାନଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ପୁଣିଥରେ ତାଙ୍କ ଉପସ୍ଥିତି ଏହି ଅବସରକୁ ଐତିହାସିକ କରିଥିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରେରଣା ହୋଇଛି।
ସେ କହିଥିଲେ, ମୟୂରଭଞ୍ଜ ପାଇଁ ଏହା ଏକ ଐତିହାସିକ ଦିନ, କାରଣ ଏଠାରେ ବହୁ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି। ଏହି ପ୍ରକଳ୍ପଗୁଡ଼ିକ ଯୁବପିଢ଼ି, ଚାଷୀ, ଆଦିବାସୀ ଓ ମହିଳାଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶର ପ୍ରଥମ ନାଗରିକ ହେବା ପରେ ମୟୂରଭଞ୍ଜର ବିକାଶ ଗତିଶୀଳ ହୋଇଥିବାକୁ ସେ ଉଲ୍ଲେଖ କରିଥିଲେ।
ମୟୂରଭଞ୍ଜକୁ ଜଙ୍ଗଲ, ପାହାଡ଼, ନଦୀ, ସମୃଦ୍ଧ ଜୈବ ବିବିଧତା ଓ ଆଦିବାସୀ ପରମ୍ପରାର ଭୂମି ଭାବେ ବର୍ଣ୍ଣନା କରି ସେ କହିଥିଲେ, ଏଠାରେ ଉଚ୍ଚଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ଆୟୁଷ ହସ୍ପିଟାଲ୍, ଆୟୁର୍ବେଦିକ କଲେଜ୍, OUAT କ୍ୟାମ୍ପସ୍, MSCB ବିଶ୍ୱବିଦ୍ୟାଳୟର IT କ୍ୟାମ୍ପସ୍ ଓ ଧନୁର୍ବିଦ୍ୟା ଏକାଡେମୀ ସ୍ଥାପନ ହେଉଛି। ଏହା ଉତ୍ତର ଓଡ଼ିଶାର ଶିକ୍ଷା ଓ କ୍ରୀଡା ଖେତ୍ରକୁ ନୂଆ ଦିଗ ଦେବ।
କୃଷିକୁ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ବୋଲି ଉଲ୍ଲେଖ କରି ସେ କହିଥିଲେ, ନୂତନ OUAT କ୍ୟାମ୍ପସ୍ ମାଧ୍ୟମରେ ଗବେଷଣା ଓ ଆଧୁନିକ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ମିଳିବ। ସେହିପରି ସରକାରୀ ଆୟୁର୍ବେଦିକ କଲେଜ୍ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବ ବୋଲି ସେ କହିଥିଲେ।
ନୂଆ କେନ୍ଦ୍ର ବଜେଟ୍ରେ କ୍ୟାନସର ଓ ଡାଏବେଟିସ୍ ଔଷଧ ଶସ୍ତା କରାଯାଇଥିବାରୁ ଗରିବ ଓ ମଧ୍ୟମବର୍ଗ ଲୋକ ଲାଭାନ୍ବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
କ୍ରୀଡା ମୟୂରଭଞ୍ଜର ଗର୍ବର ବିଷୟ ଥିବାକୁ ଉଲ୍ଲେଖ କରି ସେ କହିଥିଲେ, ଧନୁର୍ବିଦ୍ୟା ଏକାଡେମୀ ଆଦିବାସୀ ଓ ଗ୍ରାମୀଣ ଯୁବ ପ୍ରତିଭାଙ୍କୁ ଆଗକୁ ଆଣିବାରେ ସହାୟକ ହେବ। କ୍ରୀଡା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଏକତା ଗଢ଼ି ତୋଳେ ବୋଲି ସେ ମତ ପ୍ରକାଶ କରିଥିଲେ।





