ନୂଆଦିଲ୍ଲୀ: ଦେଶର ଶୀର୍ଷସ୍ଥ ବିମାନ ସେବା ସଂସ୍ଥା ଇଣ୍ଡିଗୋ ବିରୋଧରେ ଭାରତୀୟ ପ୍ରତିଯୋଗିତା କମିସନ (CCI) ପକ୍ଷରୁ ତଦନ୍ତ ଆଦେଶ ଜାରି ହୋଇଛି। ଗତ ବର୍ଷ ଡିସେମ୍ବର ମାସରେ ବହୁ ସଂଖ୍ୟକ ଉଡାଣ ବାତିଲ ଘଟଣାକୁ ଆଧାର କରି କମ୍ପାନିର ବ୍ୟବସାୟିକ ଆଚରଣ ଉପରେ ପ୍ରାରମ୍ଭିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

ସିସିଆଇଙ୍କ ୧୬ ପୃଷ୍ଠା ବିଶିଷ୍ଟ ଆଦେଶରେ କୁହାଯାଇଛି ଯେ, ବଡ଼ ପରିମାଣରେ ଉଡାଣ ବାତିଲ କରାଯିବା ଫଳରେ ସେବାରେ କୃତ୍ରିମ ଅଭାବ ସୃଷ୍ଟି ହୋଇଥିବା ସନ୍ଦେହ ରହିଛି। ଏହା ପ୍ରତିଯୋଗିତା ନିୟମ ଉଲ୍ଲଂଘନ ସହ ଯୋଡ଼ିତ କି ନୁହେଁ, ତାହା ଖତିଆନ କରାଯିବ। ସେହି ସମୟରେ ଯାତ୍ରୀ ଚାପ ଅଧିକ ଥିବାବେଳେ ଏଭଳି ବାତିଲ ଘଟଣା ଘଟିଥିବାରୁ ଯାତ୍ରୀମାନେ ଭାରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ରିପୋର୍ଟ ଅନୁସାରେ, ଡିସେମ୍ବର ୨ ରୁ ୯ ମଧ୍ୟରେ ଇଣ୍ଡିଗୋ ୪୫୦୦ରୁ ଅଧିକ ଉଡାଣ ବାତିଲ କରିଥିଲା, ଯାହାର ପ୍ରଭାବ ପ୍ରାୟ ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଉପରେ ପଡ଼ିଥିଲା। ଏହା ସହିତ ପ୍ରାୟ ୨୦୦୦ ଉଡାଣ ବିଳମ୍ବିତ ହୋଇଥିବା ମଧ୍ୟ ଉଲ୍ଲେଖ ହୋଇଛି। ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଶୀତ ଋତୁ ପାଇଁ ଇଣ୍ଡିଗୋର ନିର୍ଦ୍ଧାରିତ ସିଡ୍ୟୁଲରେ ପ୍ରାୟ ୧୦ ପ୍ରତିଶତ କମି କରିଥିଲା। ବର୍ତ୍ତମାନ ସିସିଆଇ ଏହା ଖତିଆନ କରିବେ ଯେ କମ୍ପାନି ତାହାର ବଜାର ଆଧିପତ୍ୟକୁ ଅପବ୍ୟବହାର କରି କୃତ୍ରିମ ସଙ୍କଟ ସୃଷ୍ଟି କରିଥିଲା କି ନାହିଁ।

ଉଲ୍ଲେଖନୀୟ ଯେ, ଦେଶର ବିମାନ ଯାତାୟାତ ବଜାରରେ ଇଣ୍ଡିଗୋର ଅଂଶ ପ୍ରାୟ ୬୪ ପ୍ରତିଶତ। ଗତ କିଛି ମାସ ଧରି କ୍ରୁ ଅଭାବ, ସପ୍ଲାଇ ଚେନ୍ ସମସ୍ୟା ଓ କିଛି ବିମାନ ସେବାରୁ ବାହାରେ ରହିବା ଭଳି କାରଣରୁ କମ୍ପାନି ଚାପରେ ରହିଛି।