ହରାରେ: ଚଳିତ ଅଣ୍ଡର–୧୯ ବିଶ୍ବକପ୍‌ର ଫାଇନାଲ୍‌ରେ ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟ୍ରଫି ପାଇଁ ଜୋରଦାର ମୁକାବିଲା ହେବ। ପ୍ରତିଯୋଗିତାରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ଭାରତ ରେକର୍ଡ ଷଷ୍ଠ ଖିତାବ ଜିତିବା ଲକ୍ଷ୍ୟରେ ମାଇଦାନକୁ ଉତରିବ।

ସେମିଫାଇନାଲ୍‌ରେ ଭାରତ ୩୦୦ରୁ ଅଧିକ ରନ୍‌ର କଠିନ ଲକ୍ଷ୍ୟକୁ ସହଜରେ ହାସଲ କରି ଫାଇନାଲ୍‌ରେ ପହଞ୍ଚିଥିଲା। ଆରୋନ ଜର୍ଜଙ୍କ ଶତକ, ବୈଭବ ସୂର୍ଯ୍ୟବଂଶୀଙ୍କ ତୀବ୍ର ଅର୍ଦ୍ଧଶତକ ଓ ଅଧିନାୟକ ଆୟୁଷ ମହାତ୍ରେଙ୍କ ୬୨ ରନ୍‌ ଦଳକୁ ଦୃଢ଼ ବିଜୟ ଦେଇଥିଲା। ୨୦୨୨ରେ ଶେଷ ଥର ଖିତାବ ଜିତିଥିବା ଭାରତୀୟ ଦଳ ଏବେ ପୁଣି ସେହି ସଫଳତା ଦୋହରାଇବାକୁ ଚାହୁଁଛି।

ଯୁବ ଓପନର୍‌ ବୈଭବ ସୂର୍ଯ୍ୟବଂଶୀ ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୩ଟି ଅର୍ଦ୍ଧଶତକ କରି ଦଳକୁ ଦୃଢ଼ ଆରମ୍ଭ ଦେଇଆସୁଛନ୍ତି। ମଧ୍ୟକ୍ରମରେ ବିହାନ ମାଲହୋତ୍ରା ଓ ଅଭିଜ୍ଞାନ କୁଣ୍ଡୁ ନିୟମିତ ଭାବେ ରନ୍‌ କରୁଛନ୍ତି। ବୋଲିଂ ବିଭାଗରେ ଦୀପେଶ ଦେବେନ୍ଦ୍ରନ, ହେନିଲ ପଟେଲ ଓ ଆର୍‌ଏସ୍‌ ଅମ୍ବ୍ରିସ୍‌ ପ୍ରଭାବଶାଳୀ ରହିଛନ୍ତି। ସ୍ପିନ୍‌କୁ ପିଚ୍‌ ସହଯୋଗ କଲେ କନିଷ୍କ ଚୌହାନ ଓ ଖିଲାନ ପଟେଲ ମୁଖ୍ୟ ଭୂମିକା ନେଇପାରନ୍ତି। ଭାରତ ଦଶମ ଥର ପାଇଁ ଏହି ବିଶ୍ବକପ୍‌ର ଫାଇନାଲ୍‌ ଖେଳିବାକୁ ଯାଉଛି।

ଅନ୍ୟପକ୍ଷରେ ଇଂଲଣ୍ଡ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ ଟିକେଟ୍‌ କଟାଇଛି। ଅଧିନାୟକ ଥୋମାସ ରିଉ ଶତକ ସହ ଦୁଇଟି ଅର୍ଦ୍ଧଶତକ କରି ଦଳର ମୁଖ୍ୟ ଭରସା ହୋଇଛନ୍ତି। ବେନ୍‌ ମେଜ୍‌ ମୋଟ ୩୯୯ ରନ୍‌ ସଂଗ୍ରହ କରି ସର୍ବାଧିକ ରନ୍‌ କରୁଥିବା ଖେଳାଳିମାନଙ୍କ ତାଲିକାରେ ଉପର ସ୍ଥାନରେ ଅଛନ୍ତି। ତେବେ ଓପନିଂ ଯୁଗଳର ଅସ୍ଥିର ଫର୍ମ ଦଳ ପାଇଁ ଚିନ୍ତାର କାରଣ।

ସମ୍ଭାବ୍ୟ ଭାରତୀୟ ଦଳ: ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ଆରୋନ ଜର୍ଜ, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍‌କିପର), ବେଦାନ୍ତ ତ୍ରିବେଦୀ, କନିଷ୍କ ଚୌହାନ, ଆର୍‌ଏସ୍‌ ଅମ୍ବ୍ରିସ୍‌, ଦୀପେଶ ଦେବେନ୍ଦ୍ରନ, ହେନିଲ ପଟେଲ, ଖିଲାନ ପଟେଲ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଥୋମାସ ରିଉ (ଅଧିନାୟକ, ୱିକେଟ୍‌କିପର), ବେନ୍‌ ଡକିନ୍ସ, ଯୋଶେଫ ମୋରେସ୍‌, ବେନ୍‌ ମେଜ୍‌, କାଲେବ ଫାଲ୍‌କର୍ଣ୍ଣର, ରାଲ୍‌ଫି ଅଲବର୍ଟ, ଫରାନ୍‌ ଅହମଦ, ସେବସ୍ତିଆନ୍‌ ମୋର୍ଗାନ, ଜେମ୍ସ ମିଣ୍ଟୋ, ମାନି ଲମ୍ସଡେନ୍‌, ଆଲେକ୍ସ ଫ୍ରେଞ୍ଚ।

ପ୍ରସାରଣ: ଷ୍ଟାର୍‌ ସ୍ପୋର୍ଟ୍ସ

ସମୟ: ଅପରାହ୍ଣ ୧ଟା