ଗାଜା: ଗାଜା ଅଞ୍ଚଳରେ ଇସ୍ରାଏଲର ପାଲଟା ସାମରିକ ଆକ୍ରମଣରେ ଅତି କମରେ ୨୩ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅକ୍ଟୋବରରୁ ଲାଗୁ ଥିବା ଅସ୍ତ୍ରବିରତି ପରେ ଏହାକୁ ସବୁଠାରୁ ଗୁରୁତର ଘଟଣାମାନଙ୍କ ମଧ୍ୟରୁ ଗଣାଯାଉଛି।

ସ୍ୱାସ୍ଥ୍ୟ ସୂତ୍ର ଅନୁଯାୟୀ, ମୃତଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି। ଗାଜା ସିଟିର ତୁଫା ଓ ଜେଇତୁନ୍‌ ଅଞ୍ଚଳରେ ହୋଇଥିବା ଗୁଳିବର୍ଷାରେ ଅନେକ ଲୋକ ମରିଥିବା ଖବର ମିଳିଛି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ ନିକଟସ୍ଥ ଅଞ୍ଚଳରେ ବିସ୍ଥାପିତ ଲୋକ ରହୁଥିବା ତମ୍ବୁ ଶିବିର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଉପକୂଳ ଅଞ୍ଚଳର ଏକ ଶିବିରରେ ବିମାନ ଆକ୍ରମଣ ଘଟିଥିବାରୁ ଅଧିକ ହତାହତ ହୋଇଥିବା କୁହାଯାଇଛି।

ପାଲେଷ୍ଟାଇନ ରେଡ୍ କ୍ରିସେଣ୍ଟ ସଂଗଠନ ମଧ୍ୟ କିଛି ମୃତ୍ୟୁ ଘଟଣା ସ୍ଥିର କରିଛି। କିଛି ଆବାସିକ ଅଞ୍ଚଳ ପୂର୍ବ ଚେତାବନୀ ବିନା ଲକ୍ଷ୍ୟ କରାଯାଇଥିବା ବୋଲି ସ୍ଥାନୀୟ ରିପୋର୍ଟରେ ଦାବି କରାଯାଇଛି।

ଅନ୍ୟପକ୍ଷରେ, ଇସ୍ରାଏଲ ସେନା କହିଛି ଯେ ହମାସ ଦ୍ୱାରା ଗୁଳିଚାଳନ ଘଟଣାରେ ଜଣେ ରିଜର୍ଭ ଅଧିକାରୀ ଗୁରୁତର ଆହତ ହେବା ପରେ ସେମାନେ ପାଲଟା କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଅସ୍ତ୍ରବିରତି ଉଲ୍ଲଂଘନ ପ୍ରଥମେ ହମାସ କରିଥିବା ଦାବି କରିଛି ଇସ୍ରାଏଲ।

ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅଭିଯୋଗ–ପ୍ରତିଅଭିଯୋଗ ଚାଲିଥିବା ବେଳେ ଅଞ୍ଚଳର ସୁରକ୍ଷା ପରିସ୍ଥିତି ପୁନର୍ବାର ତିବ୍ର ହୋଇଯାଇଛି।