ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘଦିନର ତଣାଟଣି ମଧ୍ୟରେ ଆସନ୍ତାକାଲି ଓମାନର ରାଜଧାନୀ ମସ୍କଟରେ ଦୁଇ ଦେଶର ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହେବାକୁ ଯାଉଛି। ଶାନ୍ତି ପ୍ରୟାସ, ପରମାଣୁ କାର୍ଯ୍ୟକ୍ରମ ଓ କୂଟନୈତିକ ସମ୍ପର୍କ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ବୋଲି ପୂର୍ବତନ ଆମେରିକୀୟ କୂଟନୀତିଜ୍ଞ ନାବିଲ ଖୁରି ସୂଚନା ଦେଇଛନ୍ତି।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ, ଏହି ବୈଠକ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ମସ୍କଟରେ ଆୟୋଜିତ ହେବ। ଆଲୋଚନା ବ୍ୟବସ୍ଥା କରିଥିବାରୁ ସେ ଓମାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ତଣାଟଣି କମେଇବା ପାଇଁ ଓମାନ ପୂର୍ବରୁ ମଧ୍ୟ ମଧ୍ୟସ୍ଥତା କରୁଥିବା କଥା ସେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଲୋଚନା ପୂର୍ବରୁ କିଛି କଠୋର ସର୍ତ୍ତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, କଥାବାର୍ତ୍ତା କେବଳ ପରମାଣୁ ପ୍ରସଙ୍ଗରେ ସୀମିତ ରହିବ ନାହିଁ। ଏଥିରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ, ସଶସ୍ତ୍ର ଗୋଷ୍ଠୀଙ୍କୁ ସମର୍ଥନ ଓ ନାଗରିକ ଅଧିକାର ସମ୍ବନ୍ଧୀୟ ବିଷୟ ମଧ୍ୟ ଉଠିବ।

ରୁବିଓ କହିଛନ୍ତି, ଚୁକ୍ତି ହେବାର ନିଶ୍ଚିତତା ନଥିଲେ ମଧ୍ୟ ଆଲୋଚନାର ଦ୍ୱାର ଖୋଲା ରହିଛି। ଯଦି ଇରାନ ସାକ୍ଷାତ କରିବାକୁ ଇଚ୍ଛୁକ, ଆମେରିକା ପକ୍ଷରୁ ପ୍ରସ୍ତୁତି ରହିଛି। ସମ୍ଭାବ୍ୟ ସମାଧାନ ଖୋଜିବା ପାଇଁ ସାକ୍ଷାତକାର ଆବଶ୍ୟକ ବୋଲି ସେ କହିଛନ୍ତି।

ଇରାନ ପକ୍ଷରୁ ଜଣାପଡ଼ିଛି ଯେ, ସେମାନେ ପରମାଣୁ ଚୁକ୍ତିକୁ କେନ୍ଦ୍ର କରି ଆଲୋଚନା କରିବାକୁ ଆଗ୍ରହୀ। ଏହି ପରିସ୍ଥିତିରେ ମସ୍କଟ ଆଲୋଚନା ଦୁଇ ଦେଶର ସମ୍ପର୍କରେ ନୂଆ ଦିଗ ଖୋଲିପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି।