ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଓଡ଼ିଶାର ଅର୍ଥନୀତି ପାଇଁ ଉପକାରୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଶେଷକରି ରାଜ୍ୟର ସାମୁଦ୍ରିକ ଖାଦ୍ୟ ଓ ମତ୍ସ୍ୟ ଆଧାରିତ ଶିଳ୍ପ ଏଥିରୁ ଅଧିକ ଲାଭାନ୍ୱିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଆମେରିକା ପକ୍ଷରୁ ଆମଦାନି ଶୁଳ୍କ କମିବାରୁ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦ ପାଇଁ ବିଦେଶୀ ବଜାରରେ ଚାହିଦା ବଢ଼ିବ। ଏହା ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀଙ୍କ ଆୟ ବୃଦ୍ଧିକୁ ସହାୟତା କରିବ। ଓଡ଼ିଶାକୁ ନୀଳ ଅର୍ଥନୀତିର ଏକ ପ୍ରମୁଖ କେନ୍ଦ୍ରରୂପେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଶୁଳ୍କରେ କୋହଳ ଆସିଲେ ରାଜ୍ୟର ହସ୍ତତନ୍ତ ଓ ରେଡିମେଡ୍ ପୋଷାକ ରପ୍ତାନିରେ ମଧ୍ୟ ବୃଦ୍ଧି ହେବ ବୋଲି ମାଝୀ ଆଶା ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ବୁଣାକାର ଓ ହସ୍ତଶିଳ୍ପୀମାନଙ୍କ ରୋଜଗାର ସୁଯୋଗ ବଢ଼ିବ ଏବଂ ଓଡ଼ିଶାର ପାରମ୍ପରିକ ପୋଷାକ ବିଶ୍ୱ ବଜାରରେ ନୂଆ ପରିଚୟ ପାଇବ।
ଓଡ଼ିଶା ଦେଶର ଏକ ପ୍ରମୁଖ ଚିଙ୍ଗୁଡ଼ି ରପ୍ତାନିକାରୀ ରାଜ୍ୟ। ପ୍ରତିବର୍ଷ ପ୍ରାୟ ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ବିଦେଶକୁ ପଠାଯାଉଥିବା ବେଳେ, ତାହାର ମୁଖ୍ୟ ଅଂଶ ଆମେରିକା ବଜାରକୁ ଯାଉଥିଲା। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହାର ଚାଷ ଅଧିକ ହେଉଛି।
ସମ୍ପ୍ରତି ଆମେରିକା ପକ୍ଷରୁ ଭାରତୀୟ ପଣ୍ୟ ଉପରେ ଲାଗୁ ହୋଇଥିବା ଉଚ୍ଚ ଶୁଳ୍କ ହ୍ରାସ କରାଯାଇଥିବା ଓ ଦୁଇ ଦେଶ ମଧ୍ୟରେ ନୂଆ ବାଣିଜ୍ୟ ଚୁକ୍ତି ସାଇନ୍ ହେବାକୁ ଥିବା ପରିପ୍ରେକ୍ଷିତରେ ମୁଖ୍ୟମନ୍ତ୍ରୀ ଏହି ମତ ପ୍ରକାଶ କରିଛନ୍ତି।





