ନୂଆଦିଲ୍ଲୀ: ୨୦୧୫–୧୬ ଆର୍ଥିକ ବର୍ଷରେ ଆୟ ପ୍ରକାଶ ନ କରିବା ଅଭିଯୋଗକୁ ନେଇ ଅଭିନେତା ଓ ରାଜନେତା ବିଜୟଙ୍କ ଉପରେ ଲାଗୁ ହୋଇଥିବା ୧.୫୦ କୋଟି ଟଙ୍କାର ଟିକସ ଜରିମାନାକୁ ମାଡ୍ରାସ ହାଇକୋର୍ଟ କାଏମ ରଖିଛନ୍ତି। ଆୟକର ବିଭାଗର ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ବିଜୟଙ୍କ ରିଟ୍ ପିଟିସନ୍କୁ କୋର୍ଟ ଖାରଜ କରିଦେଇଛନ୍ତି।
ଏହି ମାମଲା ୧୫ କୋଟି ଟଙ୍କାର ଅତିରିକ୍ତ ଆୟ ସହ ଜଡିତ ବୋଲି ଆୟକର ବିଭାଗ କହିଛି, ଯାହା ସମ୍ପର୍କିତ ଆର୍ଥିକ ବର୍ଷରେ ପ୍ରକାଶ କରାଯାଇନଥିଲା। ସେପ୍ଟେମ୍ବର ୨୦୧୫ରେ ବିଜୟଙ୍କ ବାସଭବନରେ ହୋଇଥିବା ଆୟକର ଚଢ଼ଉ ପରେ ଏହି ଜରିମାନା ଲାଗୁ କରାଯାଇଥିଲା।
ଜରିମାନା ଆଦେଶ ବିରୋଧରେ ବିଜୟ ୨୦୨୨ରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମାସରେ ଶୁଣାଣି ସମାପ୍ତ ପରେ ରାୟ ସଂରକ୍ଷିତ ରଖାଯାଇଥିଲା। ଶୁକ୍ରବାର ଜଷ୍ଟିସ୍ ସେନ୍ଥିଲକୁମାର ରାମମୂର୍ତ୍ତି ରାୟ ଶୁଣାଇ ରିଟ୍ ପିଟିସନ୍ ଖାରଜ କରିଥିଲେ।
କୋର୍ଟ କହିଛନ୍ତି ଯେ, ଆୟକର କର୍ତ୍ତୃପକ୍ଷଙ୍କ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ଆୟକର ଆଇନର ଧାରା ୨୬୩ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଥିଲା ଏବଂ ଏହାରେ କୌଣସି ପ୍ରକ୍ରିୟାଗତ ତ୍ରୁଟି ଦେଖାଯାଇନି। ଏହି ପରିସ୍ଥିତିରେ ମାମଲାର ଅନ୍ୟାନ୍ୟ ପ୍ରସଙ୍ଗ ଖତିଆନ କରିବାକୁ କୋର୍ଟ ଅସ୍ୱୀକାର କରିଛନ୍ତି।
ତଥାପି, କୋର୍ଟ ବିଜୟଙ୍କୁ ଆଗାମୀ ଆଇନଗତ ପଦକ୍ଷେପ ଭାବେ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ (ITAT) ନିକଟକୁ ଆପିଲ୍ କରିବା ପାଇଁ ସ୍ୱାଧୀନତା ଦେଇଛନ୍ତି।





