ଇସଲାମାବାଦ: ଭାରତଙ୍କ ‘ଅପରେସନ ସିନ୍ଦୂର’କୁ ଧର୍ମ ଯୁଦ୍ଧର ରୂପ ଦେବାକୁ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର୍‌ ଚେଷ୍ଟା କରିଥିବା ଦାବି ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡରଙ୍କ କଥା ଉଦ୍ଧୃତ କରି ଏହି ସୂଚନା ମିଳିଛି।

ଫେବ୍ରୁଆରି ୫ ତାରିଖରେ ପାକ୍‌ ଅଧିକୃତ କାଶ୍ମୀରର ରାୱଲକୋଟରେ ଆୟୋଜିତ ଏକ ସମାବେଶରେ ଭାଷଣ ଦେଇଥିବା ଇଲିଆସ୍ କାଶ୍ମୀରୀ ନାମକ ଆତଙ୍କୀ ନେତା କହିଥିଲେ ଯେ, ମୁନିର୍‌ ଭାରତର ଅଭିଯାନ ବିରୋଧରେ ପାକିସ୍ତାନର ପଦକ୍ଷେପକୁ ‘ଗଜୱା-ଏ-ହିନ୍ଦ୍‌’ ଭାବେ ବର୍ଣ୍ଣନା କରିଥିଲେ। ‘ଗଜୱା-ଏ-ହିନ୍ଦ୍‌’ ଶବ୍ଦଟି କଠୋର ଧାର୍ମିକ ଧାରଣା ଆଧାରିତ ସଶସ୍ତ୍ର ସଂଘର୍ଷକୁ ସୂଚିତ କରିବା ପାଇଁ ଚରମପନ୍ଥୀ ଗୋଷ୍ଠୀମାନେ ବ୍ୟବହାର କରୁଥାନ୍ତି।

ସେହି ଭାଷଣରେ ଅପରେସନ ସିନ୍ଦୂର ସମୟର ପରିସ୍ଥିତିକୁ ଉଲ୍ଲେଖ କରି ଏହି ଅଭିଯାନକୁ ମୁଖ୍ୟତଃ ଧାର୍ମିକ ଯୁଦ୍ଧ ଭାବେ ପ୍ରତିପାଦନ କରାଯାଇଥିବା କହାଯାଇଛି। ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନରେ ଚରମପନ୍ଥୀ ଗୋଷ୍ଠୀ ଓ କିଛି ସରକାରୀ ତତ୍ତ୍ୱମାନଙ୍କ ମଧ୍ୟରେ ସମ୍ପର୍କ ନେଇ ପୁନଃ ଚର୍ଚ୍ଚା ଜୋରଦାର ହୋଇଛି।

ଉଲ୍ଲେଖନୀୟ ଯେ, ଗତବର୍ଷ ଏପ୍ରିଲରେ ପହଲଗାମରେ ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ମେ’ ମାସରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଢାଞ୍ଚାକୁ ଲକ୍ଷ୍ୟ କରାଯାଇଥିଲା।