ଢାକା: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଓ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ରମେଶ ଚନ୍ଦ୍ର ସେନଙ୍କର ଶନିବାର ସକାଳେ ହାଜତରେ ଦେହାନ୍ତ ଘଟିଥିବା ସୂଚନା ମିଳିଛି। ୫ ଥର ସାଂସଦ ଥିବା ସେନ ଦୀର୍ଘ ରାଜନୈତିକ ଜୀବନ ଓ ସମାଜସେବାମୂଳକ କାର୍ଯ୍ୟ ପାଇଁ ପରିଚିତ ଥିଲେ।
ଜେଲ୍ ପ୍ରଶାସନ ତଥ୍ୟ ଅନୁଯାୟୀ, ସକାଳ ପ୍ରାୟ ୯ଟା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଅବନତି ହେବାରୁ ଦିନାଜପୁର ଜିଲ୍ଲା କାରାଗାରରୁ ତୁରନ୍ତ ଦିନାଜପୁର ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ପ୍ରାୟ ୯ଟା ୩୦ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁବେଳେ ସେନଙ୍କ ବୟସ ୮୫ ବର୍ଷ ଥିଲା ଏବଂ ସେ କିଛି ଦୀର୍ଘକାଳୀନ ରୋଗରେ ପୀଡ଼ିତ ଥିବା କୁହାଯାଇଛି।
ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଳରୁ ସନ୍ଦେହ ଓ ପ୍ରଶ୍ନ ଉଠିଛି। ପୂର୍ବତନ ମନ୍ତ୍ରୀ ଭାବେ ଯେପରି ସୁବିଧା ମିଳିବା ଦରକାର, ସେଗୁଡ଼ିକ ତାଙ୍କୁ ଯଥାପ୍ରକାର ମିଳିନଥିବା ଅଭିଯୋଗ ହେଉଛି। କେତେକ ମଣ୍ଡଳୀ ଏହାକୁ ସନ୍ଦେହଜନକ ମୃତ୍ୟୁ ବୋଲି ମଧ୍ୟ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ୨୦୨୪ ଅଗଷ୍ଟରେ ଶେଖ୍ ହସିନା ସରକାର ପତନ ପରେ ସେନଙ୍କ ବିରୋଧରେ ହତ୍ୟା ସମେତ ତିନୋଟି ମାମଲା ରୁଜୁ ହୋଇଥିଲା। ସମ୍ପ୍ରତି ଜେଲ୍ରେ ଅସୁସ୍ଥତା କାରଣରୁ ଅନେକ ରାଜନୈତିକ ନେତାଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ଆସିଛି। ଘଟଣାକୁ ନେଇ ତଦନ୍ତ ଦାବି ଜୋର ଧରିଛି।





