ମାଲକାନଗିରି: ଜିଲ୍ଲାରେ ଧାନ ମଣ୍ଡି ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅସନ୍ତୋଷ ତିବ୍ର ରୂପ ନେଇଛି। ଟୋକେନ୍ ପାଇଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରୁନଥିବା ଅଭିଯୋଗରେ ଚାଷୀମାନେ ପୋଟେରୁ ଅଞ୍ଚଳରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହାର ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ମଣ୍ଡିରେ ଦଲାଲ ଚକ୍ର ସକ୍ରିୟ ଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଛି। କେତେକ ଦଲାଲ ଅର୍ଥ ଦେଇ ସହଜରେ ଧାନ ବିକ୍ରି କରୁଥିବା ବେଳେ, ଚାଷୀମାନେ ଦିନେଦିନେ ମଣ୍ଡିରେ ଧାନ ପକାଇ ରଖି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ମେସେଜ୍ ନମିଳିବା ଓ ଧାନ ଉଠାଣରେ ବିଳମ୍ବ ହେଉଥିବାକୁ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଖବର ପାଇ ପୋଟେରୁ ଫାଣ୍ଡି ଓ କାଲିମେଳା ଥାନା ପୁଲିସ ସହ ତହସିଲଦାର, ଯୋଗାଣ ନିରୀକ୍ଷକ ଓ ଲ୍ୟାମ୍ପ ପରିଚାଳନା କର୍ମକର୍ତ୍ତାମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅଧିକାରୀମାନେ ଚାଷୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ।
ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ, ଯେଉଁ ଚାଷୀଙ୍କ ନିର୍ଦ୍ଧାରିତ ତାରିଖ ରହିବ ସେହି ଦିନେ ମଣ୍ଡିକୁ ଧାନ ଆଣିବେ। ମଣ୍ଡି ପରିସରରେ ସନ୍ଦିଗ୍ଧ ବ୍ୟକ୍ତି ଦେଖାଦେଲେ ସତ୍ତ୍ୱରେ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ଆଜିଠାରୁ ମଣ୍ଡି କାର୍ଯ୍ୟ ସ୍ବାଭାବିକ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଅବରୋଧ ହଟାଇଥିଲେ।





