ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୬.୪ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଅନ୍ତର୍ଜାତୀୟ ଅର୍ଥନୈତିକ ମୂଲ୍ୟାଙ୍କନ ସଂସ୍ଥା ‘ମୁଡିସ୍’ ଆକଳନ କରିଛି। ଏହା ସହ ଭାରତ ଜି-୨୦ ରାଷ୍ଟ୍ର ସମୂହ ମଧ୍ୟରେ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଅଗ୍ରସ୍ଥାନରେ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।
ମୁଡିସ୍ର ଆକଳନ ଅନୁସାରେ ଦେଶୀୟ ବଜାରରେ ଚାହିଦା ବୃଦ୍ଧି, ସରକାରଙ୍କ ନବୀନ ଅର୍ଥନୈତିକ ପଦକ୍ଷେପ ଓ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ସ୍ଥିରତା ଭାରତର ବୃଦ୍ଧି ହାରକୁ ସମର୍ଥନ ଦେବ। ବିଶେଷ କରି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରରେ ସକାରାତ୍ମକ ପ୍ରଦର୍ଶନ ଅଭିବୃଦ୍ଧିକୁ ଗତି ଦେବ ବୋଲି ରିପୋର୍ଟରେ କୁହାଯାଇଛି। ଜିଏସ୍ଟି ଓ ଆୟକର କ୍ଷେତ୍ରର ସଂଶୋଧନମୂଳକ ପଦକ୍ଷେପ ମଧ୍ୟ ଏଥିରେ ସହାୟକ ହୋଇଛି।
ତେବେ ସରକାର ପକ୍ଷରୁ ଦିଆଯାଇଥିବା ବଜେଟ୍ ଆକଳନ ସହିତ ତୁଳନା କରିଲେ ମୁଡିସ୍ର ବୃଦ୍ଧି ଅନୁମାନ କିଛି କମ୍। ସଂସଦରେ ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ଅନୁଯାୟୀ ୨୦୨୬–୨୭ ଆର୍ଥିକ ବର୍ଷରେ ବୃଦ୍ଧି ହାର ୬.୮ରୁ ୭.୨ ପ୍ରତିଶତ ମଧ୍ୟରେ ରହିବ ବୋଲି କୁହାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ୭.୪ ପ୍ରତିଶତ ବୃଦ୍ଧି ଆକଳନ ମଧ୍ୟ ସର୍ଭେରେ ଉଲ୍ଲେଖ ହୋଇଛି। ପୂର୍ବତନ ୨୦୨୪–୨୫ ଆର୍ଥିକ ବର୍ଷରେ ବୃଦ୍ଧି ହାର ୬.୫ ପ୍ରତିଶତ ଥିଲା।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିବାରୁ ଅର୍ଥନୈତିକ ଗତିବିଧିକୁ ଶକ୍ତି ମିଳୁଛି। ସମ୍ପ୍ରତି ମୁଦ୍ରାନୀତି ସମୀକ୍ଷାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଆଗାମୀ ଦିନରେ ଯଦି ମାନ୍ଦାବସ୍ଥାର ସଙ୍କେତ ଦେଖାଯାଏ, ତେବେ ମୁଦ୍ରାନୀତିକୁ କୋହଳ କରାଯାଇପାରେ ବୋଲି ମୁଡିସ୍ ସୂଚନା ଦେଇଛି।





