ଜେରୁସେଲମ: ଚାରି ମାସ ଧରି ଚାଲୁଥିବା ଅସ୍ତ୍ରବିରତି ମଧ୍ୟରେ ଗାଜା ଷ୍ଟ୍ରିପରେ ପୁଣିଥରେ ଇସ୍ରାଏଲ ପକ୍ଷରୁ ବିମାନ ଆକ୍ରମଣ ହୋଇଥିବା ଖବର ମିଳିଛି। ସମ୍ପ୍ରତି ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ କମ୍ ସେ କମ୍ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରାଫା ଅଞ୍ଚଳରେ ପୁଣି ଉତ୍ତେଜନା ବଢ଼ିଯାଇଛି।

ଇସ୍ରାଏଲୀ ସେନା ଦାବି କରିଛି ଯେ, ରାଫା ଅଞ୍ଚଳରେ ସେମାନଙ୍କ ସୈନିକଙ୍କ ଉପରେ ଗୁଳିଚାଳନା ହେବା ପରେ ପ୍ରତିକ୍ରିୟା ସ୍ୱରୂପ ଏହି ଆକ୍ରମଣ କରାଯାଇଛି। ଏହି ଘଟଣା ସମୟରେ ଆମେରିକା ସମର୍ଥିତ ଶାନ୍ତି ଚୁକ୍ତି ଅନୁଯାୟୀ ବନ୍ଧକ ବିନିମୟ ପ୍ରକ୍ରିୟା ଚାଲୁ ଥିଲା।

ଆକ୍ରମଣ ପରେ ପଶ୍ଚିମ ଗାଜା ସହର ଓ ପାଶ୍ୱର୍ବତୀ ଅଞ୍ଚଳରୁ ଆହତମାନଙ୍କୁ ଶିଫା ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ସ୍ଥାନୀୟ ସୂତ୍ରମାନେ କହିଛନ୍ତି ଯେ, ପରିସ୍ଥିତି ପୁଣି ତଣ୍ଟାଳା ହୋଇଯାଇଛି।

ଚାରି ମାସ ପୂର୍ବରୁ ଆମେରିକା ପକ୍ଷରୁ ପ୍ରସ୍ତାବିତ ୨୦-ସୂତ୍ରୀ ଶାନ୍ତି ଢାଞ୍ଚା ଆଧାରରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଥିଲା। ଏହାଅନୁଯାୟୀ ହମାସ କିଛି ବନ୍ଧକଙ୍କୁ ମୁକ୍ତ କରିଥିଲା ଏବଂ ପ୍ରତିବଦଳରେ ଅନେକ ବନ୍ଦୀ ମୁକ୍ତ ହୋଇଥିଲେ। ତଥାପି ଛିଟିଏ ଛାଟିଏ ସଂଘର୍ଷ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଚାଲିଥିବାରୁ ପୂର୍ଣ୍ଣ ଶାନ୍ତି ସ୍ଥାପିତ ହୋଇନାହିଁ।

ଗାଜାର ଭବିଷ୍ୟତ ଶାସନ ବ୍ୟବସ୍ଥା ଓ ସୁରକ୍ଷା ଗଠନକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସମ୍ମତି ହୋଇନାହିଁ। ଏହାକୁ ନେଇ ରାଜନୈତିକ ମତଭେଦ ଜାରି ରହିଛି, ଯାହା ଶାନ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି।

ଏପରି ସମୟରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ୱେଷ୍ଟ୍ ବ୍ୟାଙ୍କରେ ଇସ୍ରାଏଲର ବଢ଼ୁଥିବା ନିୟନ୍ତ୍ରଣକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଜାତିସଂଘ ମତାନୁସାରେ ଏପରି ପଦକ୍ଷେପ ଦୁଇ-ରାଷ୍ଟ୍ର ସମାଧାନର ସମ୍ଭାବନାକୁ ଦୁର୍ବଳ କରିପାରେ।

ମିଶର ସୀମା ସହିତ ଥିବା ରାଫା କ୍ରସିଂ ପଏଣ୍ଟ ପୁଣି ଖୋଲାଯାଇଥିଲେ ମଧ୍ୟ ଯାତାୟାତ ସୀମିତ ରହିଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ହଜାର ହଜାର ରୋଗୀ ଗୁରୁତର ଚିକିତ୍ସା ପାଇଁ ଗାଜା ଛାଡ଼ିବାକୁ ଅପେକ୍ଷା କରୁଛନ୍ତି।

୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଲକ୍ଷଣୀୟ ପ୍ରାଣହାନି ଘଟିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏପର୍ଯ୍ୟନ୍ତ ଦଶହଜାର ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି, ଯାହା ସଂଘର୍ଷର ଗମ୍ଭୀର ମାନବିକ ପ୍ରଭାବକୁ ଦର୍ଶାଉଛି।