ଭୁବନେଶ୍ୱର: ବିସିସିଆଇର ୨୦୨୫–୨୬ ଘରୋଇ କ୍ରିକେଟ୍ ଋତୁରେ ଓଡ଼ିଶା ବରିଷ୍ଠ ପୁରୁଷ ଦଳର ସମୁହିକ ପ୍ରଦର୍ଶନ ନିରାଶାଜନକ ରହିଛି। ଟ୍ବେଣ୍ଟି–୨୦ ‘ସୟଦ ମୁସ୍ତାକ ଅଲୀ ଟ୍ରଫି’ ଓ ୫୦ ଓଭରିଆ ‘ବିଜୟ ହଜାରେ ଟ୍ରଫି’ରେ ଦଳ ୮ ଦଳୀୟ ଗ୍ରୁପରେ ଷଷ୍ଠ ସ୍ଥାନରେ ସୀମିତ ରହିଥିବାବେଳେ ରଣଜୀ ଟ୍ରଫିରେ ଶେଷ ଦୁଇ ସ୍ଥାନ ମଧ୍ୟରେ ରହିଛି। ମୋଟ ୩୮ ଦଳ ମଧ୍ୟରୁ ଓଡ଼ିଶା ଶୀର୍ଷ ୨୫ ଭିତରେ ମଧ୍ୟ ଜଗା କରିପାରିନାହିଁ। ତେବେ ଦଳୀୟ ବିଫଳତା ମଧ୍ୟରେ କିଛି ଖେଳାଳିଙ୍କ ବ୍ୟକ୍ତିଗତ ଦକ୍ଷତା ଭବିଷ୍ୟତ ପାଇଁ ସକାରାତ୍ମକ ସଙ୍କେତ ଦେଇଛି।
ରଣଜୀ ଟ୍ରଫିରେ କିଛି ଉଲ୍ଲେଖନୀୟ ପ୍ରଦର୍ଶନ
ଅନିଲ ପରିଡ଼ା ସୀମିତ ସୁଯୋଗ ସତ୍ତ୍ୱେ ସର୍ବାଧିକ ହାରାହାରି ୭୮.୭୫ ସହ ୩୧୫ ରନ୍ କରିଥିଲେ। ସେ ୧ ଶତକ ଓ ୨ ଅର୍ଦ୍ଧଶତକ ହାସଲ କରିଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି ୫୪୩ ରନ୍ ସହ ଦଳର ସର୍ବାଧିକ ରନ୍ ସଂଗ୍ରାହକ ଥିଲେ, ତାଙ୍କ ହାରାହାରି ରହିଥିଲା ୪୧.୭୬। ଯୁବ ଓପନର୍ ସ୍ବସ୍ତିକ ସାମଲ ୫୦୧ ରନ୍ ସଂଗ୍ରହ କରି ପ୍ରଭାବ ଛାଡ଼ିଥିଲେ।
ବୋଲିଂରେ ଗୋବିନ୍ଦ ପୋଦ୍ଦାର ୨୦ଟି ୱିକେଟ୍ ନେଇ ସର୍ବାଧିକ ସଫଳ ଥିଲେ, ସହିତେ ବ୍ୟାଟ୍ରେ ୩୩୨ ରନ୍ ମଧ୍ୟ କରିଥିଲେ। ବାଦଲ ବିଶ୍ବାଳ ୬ ମ୍ୟାଚରୁ ୧୬ ୱିକେଟ୍ ନେଇଥିବାବେଳେ ରାଜେଶ ମହାନ୍ତି ୧୧ ୱିକେଟ୍ ଦଖଲ କରିଥିଲେ। ପଦାର୍ପଣ ମ୍ୟାଚରେ ସୟଦ ତୁଫୈଲ ଅହମ୍ମଦଙ୍କ ୮ ୱିକେଟ୍ ଅର୍ଜନ ଉଲ୍ଲେଖନୀୟ ରହିଥିଲା।
ବିଜୟ ହଜାରେ ଟ୍ରଫିରେ ସାମଲଙ୍କ ଦ୍ବିଶତକ
ବିଜୟ ହଜାରେ ଟ୍ରଫିରେ ସ୍ବସ୍ତିକ ସାମଲ ୩୬୨ ରନ୍ ସହ ସର୍ବାଧିକ ରନ୍ ସଂଗ୍ରାହକ ଓ ସର୍ବୋଚ୍ଚ ହାରାହାରି (୪୯.୭୧) ହାସଲ କରିଥିଲେ। ସେ ଗୋଟିଏ ଶତକ ଓ ଗୋଟିଏ ଦ୍ବିଶତକ ମାରି ପ୍ରଥମ ଓଡ଼ିଆ ଭାବେ ଏହି ରେକର୍ଡ କରିଥିଲେ। ବିପ୍ଳବ ସାମନ୍ତରାୟ ୨୯୫ ରନ୍ ଓ ୮ ୱିକେଟ୍ ସହ ଅଲ୍ରାଉଣ୍ଡ ପ୍ରଦର୍ଶନ କରିଥିଲେ। ଗୋବିନ୍ଦ ପୋଦ୍ଦାର ୨୪୩ ରନ୍ ଓ ୭ ୱିକେଟ୍ ନେଇ ଯୋଗଦାନ ଦେଇଥିଲେ।
ଦେବବ୍ରତ ପ୍ରଧାନ ୧୧ ୱିକେଟ୍ ସହ ଶୀର୍ଷ ବୋଲର ଥିଲେ। ସମ୍ବିତ ବରାଳ ୯ ୱିକେଟ୍ ନେଇଥିଲେ। ରାଜେଶ ମହାନ୍ତି ହ୍ୟାଟ୍ରିକ୍ ସଫଳତା ସହ ୮ ୱିକେଟ୍ ଦଖଲ କରିଥିଲେ।
ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସ୍ବାଇଁଙ୍କ ଉଜ୍ଜ୍ୱଳତା
ଟି–୨୦ ଫର୍ମାଟରେ ଅଶୀର୍ବାଦ ସ୍ବାଇଁ ୪ ମ୍ୟାଚରୁ ୧୩୮ ରନ୍ ସହ ୬୯.୦୦ ହାରାହାରିରେ ଖେଳିଥିଲେ। ବିପ୍ଳବ ସାମନ୍ତରାୟ ୧୭୭ ରନ୍ ଓ ୯ ୱିକେଟ୍ ନେଇ ଅଲ୍ରାଉଣ୍ଡ ଭୂମିକା ନିଭାଇଥିଲେ। ରାଜେଶ ମହାନ୍ତି ୧୨ ୱିକେଟ୍ ସହ ପ୍ରଭାବଶାଳୀ ବୋଲିଂ କରିଥିଲେ।
୯ ନବାଗତଙ୍କୁ ସୁଯୋଗ
ଏହି ଋତୁରେ ଦଳ ପକ୍ଷରୁ ବ୍ୟାପକ ପରୀକ୍ଷା-ନିରୀକ୍ଷା ହୋଇଥିଲା। ମୋଟ ୯ ଜଣ ଖେଳାଳି ଭିନ୍ନ ଫର୍ମାଟରେ ପଦାର୍ପଣ ସୁଯୋଗ ପାଇଥିଲେ। ସମ୍ବିତ ବରାଳ ଓ ବାଦଲ ବିଶ୍ବାଳ ତିନୋଟି ଯାକ ଫର୍ମାଟରେ ଖେଳି ଭବିଷ୍ୟତ ପାଇଁ ଆଶା ଜଗାଇଛନ୍ତି।
ସମୁହିକ ଫଳାଫଳ ନିରାଶାଜନକ ଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରଦର୍ଶନ ଦେଖି ଓଡ଼ିଶା କ୍ରିକେଟ୍ର ଆଗାମୀ ଦିନ ନେଇ ଆଶା ରହିଛି।





