ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବର ନୋଟିସ ଦାଖଲ କରିଛନ୍ତି। ଲୋକସଭା ନିୟମ ୯୪(ଗ) ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କଂଗ୍ରେସ, ସପା, ବାମଦଳ, ଆରଜେଡି ସମେତ ପ୍ରାୟ ସମସ୍ତ ବିରୋଧୀ ଶିବିରର ୧୧୮ ଜଣ ସାଂସଦ ପ୍ରସ୍ତାବରେ ସ୍ବାକ୍ଷର କରିଛନ୍ତି।
ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାଚସ୍ପତି ଗୃହ ପରିଚାଳନାରେ ପକ୍ଷପାତିତା ଦେଖାଉଛନ୍ତି ଏବଂ ବିରୋଧୀ ସଦସ୍ୟଙ୍କ ମତ ଓ ସ୍ୱରକୁ ଦମନ କରାଯାଉଛି। ଏହି ଅନାସ୍ଥା ପ୍ରସ୍ତାବର ନୋଟିସ୍ ଲୋକସଭା ମହାସଚିବଙ୍କୁ ଦିଆଯାଇଛି। କଂଗ୍ରେସ ସାଂସଦ ସୁରେଶ କୋଡିକୁନିଲ, ଗୌରବ ଗୋଗୋଇ ଓ ମହମ୍ମଦ ଜାଭେଦ ନୋଟିସ୍ ଦାଖଲ ପାଇଁ ମହାସଚିବଙ୍କୁ ଭେଟିଥିଲେ।
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ବାଚସ୍ପତିଙ୍କ କିଛି ବିବୃତି ଭ୍ରାମକ ଓ ଗୃହର ପରିସ୍ଥିତି ସହ ସମ୍ପୃକ୍ତ ନୁହେଁ। ସେ କହିଛନ୍ତି, ବାଚସ୍ପତିଙ୍କ ଉପରେ ସରକାରୀ ଚାପ ଥିବାରୁ ଏପରି ପରିସ୍ଥିତି ଉଦ୍ଭବ ହେଉଛି।
ବାଚସ୍ପତିଙ୍କୁ ହଟାଇବା ପ୍ରକ୍ରିୟା କଣ?
ସମ୍ବିଧାନର ଧାରା ୯୪ ଓ ଲୋକସଭା କାର୍ଯ୍ୟପଦ୍ଧତି ନିୟମ ଅନୁଯାୟୀ ବାଚସ୍ପତି କିମ୍ବା ଉପବାଚସ୍ପତିଙ୍କୁ ହଟାଇବା ପ୍ରସ୍ତାବ ଆଣାଯାଇପାରେ। ପ୍ରସ୍ତାବର ସମ୍ପୂର୍ଣ୍ଣ ପାଠ୍ୟ ଲିଖିତ ଭାବେ ମହାସଚିବଙ୍କୁ ଦାଖଲ କରିବାକୁ ପଡ଼େ। ଏଥିରେ ଅଭିଯୋଗଗୁଡ଼ିକ ସ୍ପଷ୍ଟ ଓ ଯୁକ୍ତିସଙ୍ଗତ ଭାବରେ ଉଲ୍ଲେଖ ହେବା ଆବଶ୍ୟକ।
ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ କମ୍ ସେ କମ୍ ୫୦ ଜଣ ସଦସ୍ୟଙ୍କ ସମର୍ଥନ ଦରକାର। ନୋଟିସ୍ ମିଳିବା ପରେ ୧୪ ଦିନ ମଧ୍ୟରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଏ। ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ସମୟରେ ବାଚସ୍ପତି ଅଧ୍ୟକ୍ଷତା କରିପାରିବେ ନାହିଁ। ଏହା ପାରିତ ହେବା ପାଇଁ ଗୃହର ତତ୍କାଳୀନ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠ ମତ ଆବଶ୍ୟକ।
ପ୍ରସ୍ତାବ ପାରିତ ହେବା କଷ୍ଟକର
ବର୍ତ୍ତମାନ ଲୋକସଭାରେ ଏନଡିଏ ଜୋଟର ସଂଖ୍ୟାଗରିଷ୍ଠତା ଥିବାରୁ ଏହି ଅନାସ୍ଥା ପ୍ରସ୍ତାବ ପାରିତ ହେବା ସମ୍ଭାବନା କମ୍ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି। ତଥାପି ବିରୋଧୀ ଶିବିର ପକ୍ଷରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ବୋଲି ଦେଖାଯାଉଛି।





