ପାଟନା: ପୁର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ମଙ୍ଗଳବାର ପାଟନା ସିଭିଲ୍ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ତାଙ୍କ ପକ୍ଷରୁ ଓକିଲମାନେ କୋର୍ଟରେ ଦାବି କରିଥିଲେ ଯେ, ଯେଉଁ ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଛି, ସେଥିରେ ସିଧାସଳଖ ଜଡିତ ଥିବାର ପ୍ରମାଣ ପର୍ଯ୍ୟାପ୍ତ ନାହିଁ ଏବଂ ସେ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରୁଛନ୍ତି।

ପୁଲିସ ତାଙ୍କୁ ଶୁକ୍ରବାର ମଧ୍ୟରାତ୍ରରେ ଗୋଟିଏ ପ୍ରାୟ ୩୧ ବର୍ଷ ପୁରୁଣା ମାମଲାରେ ଗିରଫ କରିଥିଲା। ପରଦିନ ତାଙ୍କୁ କୋର୍ଟରେ ଉପସ୍ଥାପିତ କରାଯାଇଥିବାବେଳେ, ଆଦାଲତ ତାଙ୍କୁ ଦୁଇ ଦିନ ପାଇଁ ବିଚାରାଧୀନ ହାଜତକୁ ପଠାଇଥିଲେ।

ଗିରଫ ପରେ ପପୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବାରୁ ତାଙ୍କୁ ପଟନା ମେଡିକାଲ୍ କଲେଜ୍ ହସ୍ପିଟାଲ୍ (PMCH)ର କୈଦୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ବେଉର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ସୂଚନା ଅନୁସାରେ, ୧୯୯୫ ମସିହାରେ ପାଟନାର ପୁନାଇଚକ ଅଞ୍ଚଳରେ ଗୋଟିଏ ଘର ଦଖଲ ଅଭିଯୋଗରେ ପପୁ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ପ୍ରଥମେ ଶାସ୍ତ୍ରୀନଗର ଟିଓପିରେ ରେଜିଷ୍ଟର ହୋଇ ପରେ ଗର୍ଦାନିବାଗ ପୁଲିସ ଷ୍ଟେସନକୁ ସ୍ଥାନାନ୍ତର ହୋଇଥିଲା। ବର୍ତ୍ତମାନ ଏହି ମାମଲାରେ ଆଗାମୀ ଆଇନଗତ ପ୍ରକ୍ରିୟା ଚାଲିବ।