ନୂଆଦିଲ୍ଲୀ: ପୂର୍ବତନ ସେନାମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ପୁସ୍ତକ ପ୍ରକାଶ ପାଇଛି କି ନାହିଁ ନେଇ ପ୍ରକାଶକ ପେଙ୍ଗୁଇନ୍ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ପେଙ୍ଗୁଇନ୍ଠାରୁ ଅଧିକ ନରବଣେଙ୍କ କଥାକୁ ବିଶ୍ୱାସ କରନ୍ତି।
ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ, ନରବଣେ ଓ ପ୍ରକାଶକ—ଉଭୟେ ଏକେ ସମୟରେ ଭୁଲ କହିପାରିବେ ନାହିଁ। ଯଦି ପୁସ୍ତକ ପ୍ରକାଶ ହୋଇନାହିଁ ବୋଲି ପେଙ୍ଗୁଇନ୍ କହୁଛି, ତେବେ ଏହା ଆମାଜନ୍ରେ କିପରି ଦେଖାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ନରବଣେଙ୍କ ପୁସ୍ତକର କିଛି ଅଂଶ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅସୁବିଧାଜନକ ହୋଇପାରେ ବୋଲି ତାଙ୍କ ଧାରଣା।
ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ପୁସ୍ତକ ପ୍ରକାଶ ନେଇ ଦୁଇ ପକ୍ଷର ଦାବି ଭିନ୍ନ ଥିବାରୁ ଜନସାଧାରଣଙ୍କୁ ସତ୍ୟ କଣ ତାହା ବିଚାର କରିବାକୁ ପଡ଼ିବ।
ଏପଟେ ପେଙ୍ଗୁଇନ୍ ପକ୍ଷରୁ ଜାରି ବିବୃତିରେ ସ୍ପଷ୍ଟ କରାଯାଇଛି ଯେ ନରବଣେଙ୍କ ଆତ୍ମଜୀବନୀ କୌଣସି ରୂପରେ ପ୍ରକାଶିତ ହୋଇନାହିଁ। ମୁଦ୍ରିତ କିମ୍ବା ଡିଜିଟାଲ୍—କୌଣସି ସଂସ୍କରଣକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇନଥିବା ଦାବି କରିଛି ପ୍ରକାଶକ ସଂସ୍ଥା। ଏହାସହ ଅନଧିକୃତ ଭାବେ ପୁସ୍ତକର କପି ପ୍ରଚାର କଲେ କାନୁନି କାର୍ଯ୍ୟନୁଷ୍ଠାନ ହେବ ବୋଲି ସତର୍କ କରାଯାଇଛି।
ସୋସିଆଲ୍ ମିଡିଆ ଓ କେତେକ ୱେବସାଇଟ୍ରେ ପୁସ୍ତକର ପିଡିଏଫ୍ କପି ପ୍ରଚାର ହେଉଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଂସଦର ଅଧିବେଶନ ସମୟରେ ଏହି ପୁସ୍ତକ ଉଦ୍ଧୃତ ହେବା ପରେ ମାମଲାଟି ଅଧିକ ଚର୍ଚ୍ଚାରେ ଆସିଛି।





