ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ସିଂହ, ଭୂପେଶ ବାଘେଲ ଓ ଗୌରବ ଗୋଗୋଇଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ମଙ୍ଗଳବାର ଏହି ମାମଲା ଦାୟର ହୋଇଥିବା ସୂଚନା ମିଳିଛି।
ଗତ ସପ୍ତାହରେ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇ ଅଭିଯୋଗ କରିଥିଲେ ଯେ, ଦଳୀୟ ତଦନ୍ତ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶର୍ମା ଓ ତାଙ୍କ ପରିବାର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୨,୦୦୦ ବିଘା ଜମି ଦଖଲ କରିଥିବା ଦାବି କରିଥିଲେ। ଏହି ଅଭିଯୋଗକୁ ଶର୍ମା ପକ୍ଷରୁ ଖଣ୍ଡନ କରାଯାଇଥିଲା।
ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରମାଣ ବିନା ଏପରି ଗୁରୁତର ଅଭିଯୋଗ କରାଯାଇଥିବାରୁ ସେ ଆଇନଗତ ପଦକ୍ଷେପ ନେବେ। ସେହି ଅନୁଯାୟୀ ୫୦୦ କୋଟି ଟଙ୍କା କ୍ଷତିପୂରଣ ଦାବି ସହ ମାନହାନି ମକଦ୍ଦମା ରୁଜୁ କରାଯାଇଛି।
ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଇ ଶର୍ମା କହିଛନ୍ତି ଯେ, ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାଙ୍କ ବିରୋଧରେ ଭ୍ରାନ୍ତିକର ଓ ମାନହାନିକାରକ ଅଭିଯୋଗ ଆଣାଯାଇଥିବାରୁ ଏହି ଆଇନଗତ ପଦକ୍ଷେପ ଗ୍ରହଣ କରାଗଲା।





