ନୂଆଦିଲ୍ଲୀ: ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂରଣ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାର ଗାନ ଓ ପ୍ରଦର୍ଶନ ସମ୍ପର୍କିତ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହାଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରଚଳିତ ୬୫ ସେକେଣ୍ଡର ସଂକ୍ଷିପ୍ତ ଭାର୍ସନ୍‌ ବଦଳରେ ବନ୍ଦେ ମାତରମ୍‌ର ଛଅ ପଦ ବିଶିଷ୍ଟ ବିସ୍ତାରିତ ସଂସ୍କରଣକୁ ସରକାରୀ କାର୍ଯ୍ୟକ୍ରମରେ ଗାନ କରାଯିବ। ଏହି ନୂତନ ସଂସ୍କରଣର ଅବଧି ୩ ମିନିଟ୍ ୧୦ ସେକେଣ୍ଡ ନିର୍ଦ୍ଧାରିତ ହୋଇଛି।

ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ବନ୍ଦେ ମାତରମ୍‌କୁ ଏବେ ସରକାରୀ ଅନୁଷ୍ଠାନ, ପତାକା ଉତ୍ତୋଳନ ଅବସର, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଗାନ କରାଯିବ। ଗାନ କିମ୍ବା ବାଜାଇବା ସମୟରେ ଉପସ୍ଥିତ ସମସ୍ତଙ୍କୁ ଠିଆ ହୋଇ ସମ୍ମାନ ଜଣାଇବା ବାଧ୍ୟତାମୂଳକ ହେବ।

ନୂତନ ନିୟମ ଅନୁସାରେ, ଯଦି କୌଣସି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଓ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଉଭୟ ଗାନ କରାଯାଏ, ତେବେ ପ୍ରଥମେ ବନ୍ଦେ ମାତରମ୍ ଏବଂ ପରେ ଜନ ଗଣ ମନ ଗାନ ହେବ। ଏପର୍ଯ୍ୟନ୍ତ ବନ୍ଦେ ମାତରମ୍‌ ପାଇଁ ସ୍ପଷ୍ଟ ସରକାରୀ ପ୍ରୋଟୋକଲ୍ ନଥିଲା, କିନ୍ତୁ ଏବେ ଏହାକୁ ବିଧିବଦ୍ଧ କରାଯାଇଛି।

ନିର୍ଦ୍ଦେଶାବଳୀରେ ଏହାମଧ୍ୟ ଉଲ୍ଲେଖ ଅଛି ଯେ, ଜାତୀୟ ଗୀତ କିମ୍ବା ଜାତୀୟ ସଙ୍ଗୀତ ବଜାଇବା ପୂର୍ବରୁ ବ୍ୟାଣ୍ଡ ଦ୍ୱାରା ଡ୍ରମ୍ ରୋଲ୍ ଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରାଯିବ। ତେବେ ଯଦି ଗୀତଟି କୌଣସି ଡକ୍ୟୁମେଣ୍ଟାରୀ କିମ୍ବା ନ୍ୟୁଜ୍‌ ଫିଲ୍ମର ଅଂଶ ଭାବେ ପ୍ରସାରଣ ହୁଏ, ସେଥିରେ ଠିଆ ହେବା ଆବଶ୍ୟକ ନୁହେଁ।

ସ୍କୁଲଗୁଡ଼ିକୁ ମଧ୍ୟ ସକାଳ ସଭାରେ ସାମୂହିକ ଭାବେ ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ଗାନକୁ ଉତ୍ସାହିତ କରିବାକୁ ପରାମର୍ଶ ଦିଆଯାଇଛି। ଏଥିଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ପ୍ରତୀକ ପ୍ରତି ସମ୍ମାନ ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ କହିଛି।

ଐତିହାସିକ ଭାବେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ବନ୍ଦେ ମାତରମ୍’କୁ ୧୯୫୦ ମସିହାରେ ଜାତୀୟ ଗୀତ ଭାବେ ସ୍ୱୀକୃତି ମିଳିଥିଲା। ନୂତନ ନିର୍ଦ୍ଦେଶକୁ ଏହାର ପୂର୍ଣ୍ଣ ସଂସ୍କରଣକୁ ଆଗକୁ ଆଣିବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।