ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ସୋଙ୍ଗଖଲା ଅଞ୍ଚଳର ଏକ ସ୍କୁଲ ପରିସରରେ ଗୁଳିକାଣ୍ଡ ଘଟିଥିବା ଖବର ପ୍ରକାଶ ପାଇଛି। ସ୍ଥାନୀୟ ମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ସସ୍ତ୍ରଧାରୀ ଯୁବକ ସ୍କୁଲ ଭିତରକୁ ପଶି ଗୁଳିଚାଳନ କରିଥିବାରୁ ଛାତ୍ରଛାତ୍ରୀ ସହ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ କିଛି ଜଣ ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଉଚ୍ଚ ସତର୍କତା ଜାରି କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୧୮ ବର୍ଷ ବୟସର ଏକ ଯୁବକ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ପୁଲିସ ସ୍କୁଲ ପରିସରକୁ ଘେରି ତଦନ୍ତ ଓ ସନ୍ଧାନ ଅଭିଯାନ ଆରମ୍ଭ କରିଛି। ସୁରକ୍ଷା କାରଣରୁ ସ୍କୁଲକୁ ଅସ୍ଥାୟୀ ଭାବେ ସିଲ୍ କରାଯାଇଥିବା ବେଳେ ଆସପାସ ଅଞ୍ଚଳରେ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଜଣେ ଶିକ୍ଷକଙ୍କୁ ଖୋଜୁଥିବା କଥା କୁହାଯାଉଛି। କିଛି ବ୍ୟକ୍ତିଗତ କାରଣକୁ ନେଇ ଏହି ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ସୂତ୍ର ଅନୁମାନ କରୁଛନ୍ତି। ତଥାପି ଏନେଇ ପୁଲିସ ପକ୍ଷରୁ ଆଧିକାରିକ ସ୍ପଷ୍ଟୀକରଣ ଆସିନାହିଁ।

ଘଟଣାସ୍ଥଳରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଓ ଉଦ୍ଧାର ଦଳ ପହଞ୍ଚି ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିବା କାମ ଚାଲାଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ପୁଲିସ ପକ୍ଷରୁ ଘଟଣାର ସବିଶେଷ ତଦନ୍ତ ଜାରି ରହିଛି।