ନୂଆଦିଲ୍ଲୀ: ଭାରତ–ଆମେରିକା ମଧ୍ୟରେ ହୋଇଥିବା ଅନ୍ତରୀଣ ବାଣିଜ୍ୟ ରାଜିନାମା ସମ୍ପର୍କିତ ଫ୍ୟାକ୍ଟସିଟ୍କୁ ଆମେରିକା ପକ୍ଷରୁ ସଂଶୋଧନ କରାଯାଇଛି। ନୂତନ ସଂସ୍କରଣରେ କେତେକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ପରିବର୍ତ୍ତନ ଆଣାଯାଇଥିବାରୁ ଡାଲି ଆମଦାନିକୁ ନେଇ ଯେଉଁ ଆଶଙ୍କା ଥିଲା, ସେଥିରେ ଏବେ ରାହତ ମିଳିଛି।
ପୂର୍ବ ଫ୍ୟାକ୍ଟସିଟ୍ରେ ‘ନିର୍ଦ୍ଦିଷ୍ଟ ପ୍ରକାରର ଡାଲି’ ଆମଦାନି ସମ୍ପର୍କରେ ଉଲ୍ଲେଖ ଥିଲା। କିନ୍ତୁ ସଂଶୋଧିତ ତଥ୍ୟପତ୍ରରୁ ସେହି ଅଂଶକୁ ସମ୍ପୂର୍ଣ୍ଣ ବାହାର କରାଯାଇଛି। ଏହାର ଫଳରେ ଆମେରିକୀୟ ଡାଲି ଭାରତୀୟ ବଜାରକୁ ବୃହତ୍ ପରିମାଣରେ ପ୍ରବେଶ କରିବା ନେଇ ଯେଉଁ ଚିନ୍ତା ଦେଖାଦେଇଥିଲା, ତାହା କମିଛି। ସରକାର ପୂର୍ବରୁ ସମ୍ବେଦନଶୀଳ କୃଷି ଓ ଦୁଗ୍ଧ କ୍ଷେତ୍ରକୁ ସୁରକ୍ଷା ଦେବାକୁ ପ୍ରତିବଦ୍ଧ ବୋଲି କହିଥିଲେ, ସଂଶୋଧିତ ତଥ୍ୟପତ୍ରରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତକୁ ଅଧିକାଂଶ ଡାଲି କାନାଡା, ରୁଷ ଓ ଅଷ୍ଟ୍ରେଲିଆରୁ ଆସୁଛି।
ଫ୍ୟାକ୍ଟସିଟ୍ର ଭାଷାରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣାଯାଇଛି। ପୂର୍ବରୁ ଆମେରିକା ଦାବି କରିଥିଲା ଯେ ଭାରତ ୫୦୦ ବିଲିୟନ ଡଲାରର ସାମଗ୍ରୀ କ୍ରୟ ପାଇଁ ‘ପ୍ରତିବଦ୍ଧ’। କିନ୍ତୁ ନୂତନ ସଂସ୍କରଣରେ ‘ପ୍ରତିବଦ୍ଧ’ ବଦଳରେ ‘ଭାରତ କିଣିବାକୁ ଇଚ୍ଛୁକ’ ବୋଲି ଉଲ୍ଲେଖ ହୋଇଛି। ଏହାର ଅର୍ଥ ଭାରତ ସେହି ପରିମାଣର କ୍ରୟ ପାଇଁ ବାଧ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି ଏବଂ ଆମେରିକାର ଭାଷା ଆଗରୁ ଅଧିକ ନରମ ହୋଇଥିବା ଦେଖାଯାଇଛି।
ଡିଜିଟାଲ ସେବା ଟିକସ (DST) ସମ୍ପର୍କରେ ମଧ୍ୟ ନୂତନ ଫ୍ୟାକ୍ଟସିଟ୍ରେ ପରିବର୍ତ୍ତନ ରହିଛି। ପୂର୍ବରୁ ଏହି ଟିକସ ହଟାଇବାକୁ ଭାରତ ପ୍ରତିବଦ୍ଧ ବୋଲି ଆମେରିକା କହିଥିଲା। କିନ୍ତୁ ସଂଶୋଧିତ ପତ୍ରରେ ସେଥିପାଇଁ କୌଣସି ସରାସରି ଉଲ୍ଲେଖ ନାହିଁ। କେବଳ ଦ୍ୱିପାକ୍ଷିକ ଡିଜିଟାଲ ବ୍ୟବସାୟ ନିୟମ ନେଇ ଆଲୋଚନା ଚାଲିଥିବା କୁହାଯାଇଛି। ଡିଜିଟାଲ କମ୍ପାନୀ ଉପରେ ଭାରତ ଲାଗୁ କରିଥିବା ଟିକସକୁ ନେଇ ଆମେରିକୀୟ ସଂସ୍ଥାଗୁଡ଼ିକ ଆଗରୁ ଆପତ୍ତି ଜଣାଇଥିଲେ, ଯାହାକୁ ଭାରତ ସମ୍ପ୍ରତି ଉଚ୍ଛେଦ କରିଥିବାରୁ ଏହି ବିଷୟ ଉଲ୍ଲେଖ ହଟାଯାଇଥିବା ଧାରଣା କରାଯାଉଛି।





