ଭୁବନେଶ୍ବର: କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ୧୦ଟି ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍‌ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଆୟୋଜିତ ହେଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ। ଏହାକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ସମର୍ଥନ ଘୋଷଣା କରିଥିବାରୁ ରାଜ୍ୟର ବିଭିନ୍ନ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଧର୍ମଘଟ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କାର୍ଯ୍ୟକ୍ରମ ହେବାକୁ ଯୋଜନା ରହିଛି। ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ସାଧାରଣ ପରିବହନ ସେବା କିଛି ସ୍ଥାନରେ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି।

ଶ୍ରମିକ ସଂଗଠନମାନଙ୍କ ମୁଖ୍ୟ ଦାବିମାନଙ୍କ ମଧ୍ୟରେ ଶ୍ରମ ଆଇନ ସଂଶୋଧନ ବାତିଲ, ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ୨୦୨୫ ପ୍ରତ୍ୟାହାର, ମନରେଗା କାର୍ଯ୍ୟକରୀ କରା, ଚାଷୀ ଓ କୃଷି ଶ୍ରମିକଙ୍କ ସୁରକ୍ଷା, ସ୍ୱାମୀନାଥନ କମିସନ ସୁପାରିଶ ଅନୁସାରେ ଏମ୍‌ଏସ୍‌ପି ଲାଗୁ, ସମାନ କାମକୁ ସମାନ ଦରମା ଓ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଆଇନଗତ ସୁରକ୍ଷା ଦାବି ରହିଛି। ସହିତେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜମି ଅଧିକାର, ଦରଦାମ ଓ ବେକାରୀ ନିୟନ୍ତ୍ରଣ ଭଳି ଦାବିମାନେ ମଧ୍ୟ ଉଠାଯାଇଛି।

ଏହି ଧର୍ମଘଟରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏସ୍‌ଇଡବ୍ଲୁଏ, ଏଲ୍‌ପିଏଫ୍‌ ସହ ଅନ୍ୟାନ୍ୟ ଶ୍ରମିକ ଓ ବ୍ୟାଙ୍କ କର୍ମଚାରୀ ସଂଘମାନେ ସାମିଲ ହୋଇଛନ୍ତି। ପ୍ରାୟ ୩୦ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ଯୋଗଦେବେ ବୋଲି ସଂଗଠନମାନଙ୍କ ପକ୍ଷରୁ ଦାବି କରାଯାଇଛି।

ଭୁବନେଶ୍ୱରରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମିଳିତ ମଞ୍ଚ ପକ୍ଷରୁ ଦିନ ୧୨ଟା ୪୫ରେ ରାଜମହଲ ଛକରୁ ଏକ ଶୋଭାଯାତ୍ରା ବାହାରି ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି। ଧର୍ମଘଟକୁ ସଫଳ କରିବା ପାଇଁ ସମସ୍ତ ଶ୍ରମିକଙ୍କୁ ଆହ୍ୱାନ ଜଣାଇଛନ୍ତି ଆୟୋଜକମାନେ।