ବାଂଶପାଳ: କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଖଣ୍ଡାଧାର ଜଳପ୍ରପାତ ପ୍ରଥମଥର ପାଇଁ ପ୍ରାୟ ଶୁଖିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷତମାମ ପାହାଡ଼ ଶିଖରରୁ ଖସୁଥିବା ଜଳସ୍ରୋତ ହ୍ରାସ ପାଇବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି ହୋଇଛି। ପରିବେଶବିତ୍ମାନେ ଏହାକୁ ମନୁଷ୍ୟକୃତ ପ୍ରଭାବ ବୋଲି ମତ ପ୍ରକାଶ କରୁଛନ୍ତି।
ବାଂଶପାଳ ବ୍ଲକ୍ର ତଳକାଦକଳା ପଞ୍ଚାୟତ ଅଞ୍ଚଳରେ ଅବସ୍ଥିତ ଖଣ୍ଡାଧାର ଜଳପ୍ରପାତ ୩୫୦ ଫୁଟ୍ ଉଚ୍ଚରୁ ପାଣି ଖସୁଥିବାରୁ ପରିଚିତ। ହଳଦୀପାଣି ଝରଣାରୁ ଆସୁଥିବା ଜଳ ଏଠାରେ ପ୍ରପାତ ରୂପ ନେଇଥାଏ। ବର୍ଷା ଋତୁରେ ଏହାର ସ୍ରୋତ ଅତ୍ୟନ୍ତ ପ୍ରବଳ ଥାଏ ଓ ପ୍ରାୟ ସାରା ବର୍ଷ ଜଳ ପ୍ରବାହ ଜାରି ରହେ। କିନ୍ତୁ ଏବେ ଖରାଦିନ ଆରମ୍ଭ ହେବା ପୂର୍ବରୁ ହିଁ ଜଳସ୍ରୋତ ଅତ୍ୟନ୍ତ କମିଯାଇଛି, ଯାହାକୁ ସ୍ଥାନୀୟମାନେ ଅସାଧାରଣ ଘଟଣା ବୋଲି କହୁଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଖଣ୍ଡାଧାର ପାହାଡ଼ ନିକଟସ୍ଥ ଅଞ୍ଚଳରେ ଚାଲୁଥିବା ଲୁହାପଥର ଖଣି ଖନନ ଓ ଘନଘନ ବ୍ଲାଷ୍ଟିଂ ପରିଣାମରେ ଜଳପ୍ରବାହର ଦିଗ ପରିବର୍ତ୍ତନ ହୋଇଛି। ଖଣ୍ଡାଧାରରୁ ପ୍ରାୟ ୫୦୦ ମିଟର ଦୂରରେ ହଳଦୀପାଣି ଝରଣା ଓ ଦେଢ଼ କିଲୋମିଟର ଦୂରରେ ସିରିକାକୁଟ ଖଣି ଅବସ୍ଥିତ ଥିବାରୁ ଏହାର ପ୍ରଭାବ ପଡ଼ୁଥିବା କୁହାଯାଉଛି।
ତଳକାଦକଳା ସରପଞ୍ଚ ଅଦିତି ଦେହୁରୀ କହିଛନ୍ତି, ପାହାଡ଼ ଉପରମୁଣ୍ଡରେ ଅବିରତ ଖଣି ଖନନ ଓ ବ୍ଲାଷ୍ଟିଂ ପରିବେଶକୁ କ୍ଷତିଗ୍ରସ୍ତ କରୁଛି ଏବଂ ଜଳସ୍ରୋତ ହ୍ରାସ ପାଇଛି। ସମାଜସେବୀ ଓ ସ୍ଥାନୀୟ ପ୍ରତିନିଧିମାନେ ମଧ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
ପରିବେଶବିତ୍ ଡ. ବିମ୍ବାଧର ବେହେରା କହିଛନ୍ତି, ଖଣି ଖନନ ଓ ଭିତ୍ତିଭୂମି ବିକାଶ ପାଇଁ ଅନିୟନ୍ତ୍ରିତ ଗଛ କଟାଯାଉଥିବାରୁ ଜଙ୍ଗଲ ପରିସ୍ଥିତି ବିଗଡ଼ୁଛି, ଯାହାର ସିଧା ପ୍ରଭାବ ଜଳସ୍ରୋତ ଉପରେ ପଡ଼ୁଛି। ସମୟରେ ପଦକ୍ଷେପ ନ ନିଆଯାଇଲେ ଆଗାମୀଦିନରେ ପରିସ୍ଥିତି ଅଧିକ ଗମ୍ଭୀର ହେବ ବୋଲି ସେ ସତର୍କ କରିଛନ୍ତି।
ଜଳପ୍ରପାତକୁ କେନ୍ଦ୍ର କରି ସ୍ଥାନୀୟ ବ୍ୟବସାୟ ଓ ପର୍ଯ୍ୟଟନ ନିର୍ଭର ଜୀବିକା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।





