ପୁରୁଣା ଭୁବନେଶ୍ୱର: ମହାଶିବରାତ୍ରି ଉତ୍ସବକୁ ନଜରରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ପ୍ରବନ୍ଧନ ବ୍ୟବସ୍ଥା କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ମା’ ମଣ୍ଡପ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ପର୍ବ ସମୟର ଆଇନଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ନେଇ ଯଥେଷ୍ଟ ଆଲୋଚନା ହୋଇଛି।
ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପର୍ବ ସମୟରେ ପ୍ରାୟ ୩୪ ପ୍ଲାଟୁନ୍ ପୁଲିସ ବଳ ମୁତୟନ ହେବେ। ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ଏହାସହ ୬ ଅତିରିକ୍ତ ଡିସିପି, ୧୨ ଏସିପି, ୧୯ ଆଇଆଇସି, ୮୬ ଏସ୍ଆଇ ଓ ଏଏସ୍ଆଇ, ୫୬ କନେଷ୍ଟବଳ, ୪୦ ମହିଳା କନେଷ୍ଟବଳ, ୫ ହାବିଲଦାର ଓ ୧୦୨ ହୋମଗାର୍ଡ ନିଯୁକ୍ତ ହେବେ। କିଛି ଅଧିକାରୀ ସାଦା ପୋଷାକରେ ଭିଡ଼ ମଧ୍ୟରେ ଡ୍ୟୁଟି କରିବେ।
ମନ୍ଦିର ଭିତରେ ଓ ପରିସରରେ ୩୨ଟି ସିସି କ୍ୟାମେରା ସହ ସ୍ମାର୍ଟ ସିଟି ପକ୍ଷରୁ ରାସ୍ତାରେ ଅତିରିକ୍ତ ୨୧ଟି ସିସିଟିଭି କ୍ୟାମେରା ଲଗାଯିବ। ସମଗ୍ର ଅଞ୍ଚଳର ଭିଡ଼ ଓ ଗତିବିଧି ଉପରେ ଏହା ନିରନ୍ତର ନଜର ରଖିବ।
ଏହିବର୍ଷ କ୍ୟୁଆର୍ କୋଡ୍ ସହିତ ଭିଆଇପି ପାସ୍ ବ୍ୟବସ୍ଥା ରହିବ। ବଢେଇବାଙ୍କ ଛକ, ଗ୍ୟାରେଜ୍ ଛକ, ପୁରୁଣା ସୁଭଦ୍ରା ମହତାବ ହାଇସ୍କୁଲ ସମ୍ମୁଖ, ମାଉସୀମା ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ ଓ ନୂଆ ଲିଙ୍ଗରାଜ ମାର୍କେଟ୍ ଅଞ୍ଚଳର କିଛି ରାସ୍ତାକୁ ସିଲ୍ କରାଯିବ।
ପାର୍କିଂ ପାଇଁ ବିଏମ୍ ହାଇସ୍କୁଲ ପଡ଼ିଆ, ପୁରୁଣା ସୁଭଦ୍ରା ମହତାବ ହାଇସ୍କୁଲ ସମ୍ମୁଖ, ଗୋସାଗରେଶ୍ୱର ସ୍କୁଲ, କେଦାରଗୌରୀ–ବିନ୍ଦୁସାଗର ରାସ୍ତା ଓ ନୂଆ ଲିଙ୍ଗରାଜ ମାର୍କେଟ୍ ପରିସର ନିର୍ଦ୍ଧାରିତ ହୋଇଛି। ସେବାୟତଙ୍କ ଗାଡ଼ି ପାଇଁ ଅଲଗା ପାର୍କିଂ ବ୍ୟବସ୍ଥା ରହିବ।
ମନ୍ଦିରର ତିନୋଟି ପ୍ରବେଶ ମୁହାଡ଼ାରେ ଆମ୍ବୁଲାନ୍ସ ଓ ଷ୍ଟ୍ରେଚର୍ ପ୍ରସ୍ତୁତ ରଖାଯିବ। ଶୀଘ୍ର ଏକ ମାର୍ଗଦର୍ଶିକା ଜାରି କରାଯିବ, ଯାହାରେ ଯାତ୍ରୀମାନେ କେଉଁ ପଥରେ ଯିବେ ଓ କେଉଁଠି ପାର୍କିଂ କରିବେ—ସେସବୁ ସୂଚନା ଦିଆଯିବ।
ପୁଲିସ ପକ୍ଷରୁ ଭକ୍ତମାନଙ୍କୁ ଭିଡ଼ ସମୟରେ ଟ୍ରାଫିକ୍ ନିୟମ ମାନିବା, ମୂଲ୍ୟବାନ ଗହଣା ନ ପିନ୍ଧିବା ଓ ଅପ୍ରୟୋଜନୀୟ ସାମଗ୍ରୀ ସହିତ ମୋବାଇଲ୍ ନ ଆଣିବାକୁ ପରାମର୍ଶ ଦିଆଯାଇଛି।





