ନୂଆଦିଲ୍ଲୀ: ଦେଶରେ ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଓ ନବୀନତାକୁ ତ୍ବରାନ୍ବିତ କରିବା ପାଇଁ ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଅଭିଯାନକୁ ଆହୁରି ଶକ୍ତିଶାଳୀ କରାଯାଉଛି। ଏହାର ଅଂଶ ଭାବେ ‘ଷ୍ଟାର୍ଟଅପ୍ ୨.୦’ ପର୍ଯ୍ୟାୟରେ ୧୦,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି।
୨୦୧୬ ମସିହାରେ ଆରମ୍ଭ ହୋଇଥିବା ଏହି ଅଭିଯାନର ଲକ୍ଷ୍ୟ ଥିଲା ଭାରତରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଓ ନବୀନ ଉଦ୍ୟମକୁ ପ୍ରୋତ୍ସାହନ ଦେବା। ପ୍ରଥମେ ପ୍ରାୟ ୫୦୦ଟି ଷ୍ଟାର୍ଟଅପ୍ ସହ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ୨ ଲକ୍ଷରୁ ଅଧିକ ନିବନ୍ଧିତ ଷ୍ଟାର୍ଟଅପ୍ରେ ପରିଣତ ହୋଇଛି।
ଶିଳ୍ପ ଓ ଆନ୍ତର୍ଜାତିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (Department for Promotion of Industry and Internal Trade) ସୂତ୍ରରୁ ପ୍ରକାଶ ଯେ, ୨୦୨୫ରେ ସର୍ବାଧିକ ଷ୍ଟାର୍ଟଅପ୍ ପଞ୍ଜୀକରଣ ହୋଇଛି। ଏହି ୧୦ ହଜାର କୋଟିର କର୍ପସ ପାଣ୍ଠି ମାଧ୍ୟମରେ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକୁ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତା କରିବାରେ ଆର୍ଥିକ ସମର୍ଥନ ମିଳିବ।
ଏହା ସହ ‘୨୦୪୭ ବିକଶିତ ଭାରତ’ ଲକ୍ଷ୍ୟ ପୂରଣ ଦିଗରେ ମଧ୍ୟ ଏହି ପଦକ୍ଷେପ ମୂଲ୍ୟବାନ ଭୂମିକା ନିଭାଇବ ବୋଲି ମନେ କରାଯାଉଛି। ଷ୍ଟାର୍ଟଅପ୍ ପରିବେଶକୁ ଆହୁରି ସୁଦୃଢ଼ କରି ରୋଜଗାର ସୃଷ୍ଟି ଓ ଆର୍ଥିକ ବୃଦ୍ଧିକୁ ଗତି ଦେବାରେ ଏହି କର୍ପସ ପାଣ୍ଠି ମୁଖ୍ୟ ଭୂମିକା ନିଭାଇବ।





