କଲମ୍ବୋ: କଲମ୍ବୋରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ। ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରି ଭାରତ ସୁପର୍‌-୮ ପର୍ଯ୍ୟାୟକୁ ପ୍ରବେଶ କରିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିରୋଧରେ ଭାରତର ଜିତ ରେକର୍ଡ ୮-୧କୁ ପହଞ୍ଚିଛି। ଏହି ବିଜୟ ସହିତ ଲଗାତାର ୧୧ଟି ବିଶ୍ବକପ୍‌ ମ୍ୟାଚ୍‌ ଜିତିବାର ଅସାଧାରଣ ସଫଳତା ମଧ୍ୟ ଭାରତ ଅର୍ଜନ କରିଛି।

ରବିବାରର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା। ଈଶାନ କିଶନଙ୍କ ଧମାକେଦାର ୭୭ ରନ୍‌ ଦଳକୁ ଦୃଢ଼ ଭିତ୍ତି ଦେଇଥିଲା। ପାକିସ୍ତାନ ପକ୍ଷରୁ ଉସମାନ ଖାନଙ୍କ ୪୪ ରନ୍‌ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର୍‌ ଭଲ ପ୍ରଦର୍ଶନ କରିପାରିନଥିଲେ।

୧୭୬ ରନ୍‌ର ଲକ୍ଷ୍ୟ ପଛୁଆ କରି ପାକିସ୍ତାନ ୧୮ ଓଭରରେ ୧୧୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାୱାର ପ୍ଲେ’ ଭିତରେ ୪ଟି ୱିକେଟ୍‌ ହରାଇ ଦଳ ଚାପରେ ପଡ଼ିଥିଲା। ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍‌ ବୁମ୍ରା ଆରମ୍ଭରୁ ଦଳକୁ ସଫଳତା ଦେଇଥିଲେ। ବୁମ୍ରାଙ୍କ ୟର୍କର୍‌ ପାକିସ୍ତାନ ବ୍ୟାଟର୍‌ଙ୍କ ପାଇଁ ଅପରାଜେୟ ସାବିତ ହୋଇଥିଲା।

ହାର୍ଦିକ, ବୁମ୍ରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ୨ଟି କରି ୱିକେଟ୍‌ ନେଇଥିଲେ। କୁଲଦୀପ ଯାଦବ ଓ ତିଳକ ବର୍ମା ଜଣେ କରି ୱିକେଟ୍‌ ହାସଲ କରିଥିଲେ। ଈଶାନ କିଶନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲେ।

ଏହି ବଡ଼ ବିଜୟ ସହ ଭାରତ ସୁପର୍‌-୮ରେ ସ୍ଥାନ ସୁନିଶ୍ଚିତ କରିଛି। ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ବୁଧବାର ନେଦରଲାଣ୍ଡ୍‌ସ ସହ ମୁକାବିଲା କରିବ।