ସମ୍ବଲପୁର/ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା Raseshwari Panigrahiଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଗୃହରେ ରାତି ୮ଟା ୫୦ ମିନିଟ୍ରେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଡା. ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ଜଣେ ସୁନାମଧନ୍ୟ ଚିକିତ୍ସିକା ଭାବେ ପରିଚିତ ଥିଲେ। ପେଶାରେ ଡାକ୍ତର ହେଲେ ମଧ୍ୟ ସମାଜସେବା ଥିଲା ତାଙ୍କ ଜୀବନର ଅନ୍ୟତମ ବ୍ରତ। ଏକ ଟ୍ରଷ୍ଟ ମାଧ୍ୟମରେ ସେ ସାଧାରଣ ଲୋକଙ୍କ ସେବା କରୁଥିଲେ। ତାଙ୍କ ସେବାମୂଳକ କାର୍ଯ୍ୟକୁ ମନେରଖି Biju Janata Dal ୨୦୧୪ ମସିହାରେ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ ସେହି ନିର୍ବାଚନରେ ବିଜୟୀ ହୋଇ ବିଧାନସଭାର ସଦସ୍ୟ ହୋଇଥିଲେ ଓ ସମ୍ବଲପୁରରୁ ବିଜେଡିର ପ୍ରଥମ ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ଶୋକର ଛାୟା
ତାଙ୍କ ପରଲୋକରେ ବିଭିନ୍ନ ମହଳରୁ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ Mohan Charan Majhi ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକବାର୍ତ୍ତା ଜାରି କରି କହିଛନ୍ତି ଯେ, ବରିଷ୍ଠ ନେତ୍ରୀ ଓ ବିଶିଷ୍ଟ ଚିକିତ୍ସିକାଙ୍କ ଦେହାନ୍ତରେ ସେ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି କାମନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ Dharmendra Pradhan ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ, ଡା. ପାଣିଗ୍ରାହୀ କେବଳ ଜଣେ ଜନପ୍ରତିନିଧି ନୁହେଁ, ବରଂ ଜଣେ ସେବାଭିମୁଖୀ ବ୍ୟକ୍ତିତ୍ୱ ଭାବେ ସମ୍ବଲପୁରର ଘରେ ଘରେ ପରିଚିତ ଥିଲେ। ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ସେ କହିଛନ୍ତି।
ସେହିପରି ବିରୋଧୀ ଦଳ ନେତା Naveen Patnaik ମଧ୍ୟ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଓ ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କାର୍ଯ୍ୟ ସଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ସେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।
ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ବିୟୋଗ ଓଡ଼ିଶାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଳରେ ମତ ପ୍ରକାଶ ପାଇଛି।





