ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ Himanta Biswa Sarmaଙ୍କ ବିବାଦୀୟ ସାମାଜିକ ଗଣମାଧ୍ୟମ ପୋଷ୍ଟ ସମ୍ପର୍କିତ ଆବେଦନର ଶୁଣାଣି କରିବାକୁ Supreme Court of India ମନା କରିଦେଇଛି। ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଏକ ରାଇଫଲ୍ ସହ ଲକ୍ଷ୍ୟଭେଦ କରୁଥିବା ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ସୋମବାର ଶୁଣାଣି ସମୟରେ ଶୀର୍ଷ ଅଦାଲତ ଆବେଦନକାରୀଙ୍କୁ ସିଧାସଳଖ ସୁପ୍ରିମକୋର୍ଟକୁ ନଆସି Gauhati High Courtଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲା। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ କର୍ତ୍ତୃତ୍ୱକୁ ଅଣଦେଖା କରି ସିଧାସଳଖ ଶୀର୍ଷ ଅଦାଲତକୁ ଆସିବା ଉଚିତ୍ ନୁହେଁ ବୋଲି କହିଥିଲେ।
ଅଦାଲତ କହିଥିଲା ଯେ ନିର୍ବାଚନ ପୂର୍ବରୁ ସମ୍ବେଦନଶୀଳ ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ଉଠାଇବାର ପ୍ରବୃତ୍ତି ବଢ଼ିଛି। ଆମେ ରାଜନୈତିକ ଦଳଗୁଡ଼ିକୁ ସଂଯମ ଅବଲମ୍ବନ କରିବାକୁ ଓ ସାମ୍ବିଧାନିକ ନୈତିକତାର ସୀମା ମଧ୍ୟରେ ରହିବାକୁ କହିପାରିବୁ, କିନ୍ତୁ ପ୍ରତ୍ୟେକ ମାମଲାକୁ ସୁପ୍ରିମକୋର୍ଟକୁ ଆଣିହେବ ନାହିଁ ବୋଲି ଖଣ୍ଡପୀଠ ମତ ପ୍ରକାଶ କରିଥିଲା।
ଶୁଣାଣି ସମୟରେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଯୁକ୍ତି ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ବାରମ୍ବାର ଏପରି କରୁଛନ୍ତି ଓ ମାମଲାକୁ ସିଧାସଳଖ ଗ୍ରହଣ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଘୃଣା ଭାଷଣ ଓ ସାମ୍ପ୍ରଦାୟିକ ଧ୍ରୁବୀକରଣ ଅଭିଯୋଗରେ ଏଫଆଇଆର ପଞ୍ଜିକରଣ ପାଇଁ ସିପିଆଇ ଓ ସିପିଆଇ(ଏମ୍)ର ନେତାମାନେ ଏହି ଆବେଦନ ଦାଖଲ କରିଥିଲେ।





