ନବରଙ୍ଗପୁର: ପ୍ରଧାନମନ୍ତ୍ରୀ Narendra Modiଙ୍କ ଆହ୍ୱାନ ଅନୁଯାୟୀ ସାଂସଦ ସଙ୍କୁଳ ବିକାଶ ପରିଯୋଜନା ଅଧୀନରେ ପ୍ରତ୍ୟେକ ସାଂସଦଙ୍କୁ ନିଜ ସଂସଦୀୟ କ୍ଷେତ୍ରର ୨୦ରୁ ୨୫ଟି ଗାଁକୁ ଏକ କ୍ଲଷ୍ଟର ଭାବେ ଗ୍ରହଣ କରି ସମନ୍ୱିତ ବିକାଶ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହି ପରିପ୍ରେକ୍ଷିତରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବାଣୁଆଗୁଡା ଓ ଛାତିବେଡ଼ା ପଂଚାୟତର ୨୪ଟି ଗାଁକୁ ସାମିଲ କରାଯାଇଛି।
ନବରଙ୍ଗପୁର ସାଂସଦ Balabhadra Majhi କହିଛନ୍ତି ଯେ, ଏହି ଗାଁଗୁଡ଼ିକର ସମ୍ପୂର୍ଣ୍ଣ ରୂପରେଖାର ପରିବର୍ତ୍ତନ କରି ସ୍ୱାବଳମ୍ବୀ ଓ ଦାଦନମୁକ୍ତ ଅଞ୍ଚଳରେ ପରିଣତ କରାଯିବ।
ଏହି ପରିଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଆଦିବାସୀ ଯୁବକମାନଙ୍କୁ ଦକ୍ଷତାମୂଳକ ତାଲିମ ପ୍ରଦାନ, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦାଦନ ପ୍ରଥାକୁ ରୋକିବା। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ସ୍ଥାନୀୟ ସ୍ତରରେ ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଜ ଗାଁ କିମ୍ବା ବ୍ଲକରେ ନିଯୁକ୍ତି ସୁଯୋଗ ଯୋଗାଇବାରେ ଗୁରୁତ୍ୱ ଦିଆଯିବ।
ସ୍ୱେଚ୍ଛାସେବୀ ସଂସ୍ଥା, କୃଷି ବିଜ୍ଞାନ କେନ୍ଦ୍ର ଓ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନଙ୍କ ସହଯୋଗରେ ଯୁବମାନଙ୍କୁ ଉଦ୍ୟୋଗୀ ଓ ଆତ୍ମନିର୍ଭର କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ। ଗ୍ରାମୀଣ ବେକାରୀ ସମସ୍ୟାର ସମାଧାନ ସହ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ତେଜ କରାଯିବ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୪୦ରୁ ଅଧିକ ଯୋଜନାକୁ ଏହି ଚିହ୍ନଟ ଗାଁଗୁଡ଼ିକରେ ସଫଳତାର ସହ ରୂପାୟନ କରାଯିବ। ପିଡିଏସ୍ କାର୍ଡ, ଜବ୍ କାର୍ଡ ଆଦି ସମସ୍ତ ସୁବିଧାରେ ଲୋକମାନଙ୍କୁ ସାମିଲ କରାଯିବା ସହ ଯୋଜନାଗୁଡ଼ିକୁ ଲୋକଙ୍କ ସହଭାଗିତାରେ କାର୍ଯ୍ୟକାରୀ କରାଯିବ।
ଝରିଗାଁ ବ୍ଲକର ବାଣୁଆଗୁଡା ପଂଚାୟତର ସିନ୍ଧିଗୁଡା, କେନ୍ଦୁକୋନା, ପଲସଗାଁ, କୁହୁରାକୋଟ, ବୁଟିଆଗୁଡା, ଭୁସାଗୁଡା, ଏକଟାଗୁଡା, ବାଣୁଆଗୁଡା, ରାଜାମୁଣ୍ଡା, ଗୋମିୱାଡା, ଧାରଣୀବେଢ଼ା, ଝହରାବାଲିସାହି, ସାନ୍ତାସାହି, ଝୁନାପାରା, ନୂଆସାହି, ଗାଉଁଣ୍ଟିଆସାହି ଓ ଛାତିବେଡ଼ା ପଂଚାୟତର ଷଣ୍ଡସା, ଭାଲିଆଗୁଡା, କଦଭାଟିଆଗୁଡା, ସିଉନାଗୁଡା, ଜାମ୍ବଧଡା, ଗାଉଁଣ୍ଟିଆଗୁଡା, ଢେବରାଗୁଡା, ପିପଲଗୁଡା ଆଦି ଗାଁ ଏଥିରେ ଅନ୍ତର୍ଭୁକ୍ତ।
ଗତ କିଛି ମାସ ଧରି ଚାଲିଥିବା ଯୋଜନାଗୁଡ଼ିକର ସମୀକ୍ଷା ନୂଆଦିଲ୍ଲୀର ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ହୋଇଥିଲା। ଏହି ସମୀକ୍ଷାରେ ରାଷ୍ଟ୍ରୀୟ ସଂଗଠକ V. Satish Raju ଗାଁଭିତ୍ତିକ ଅଗ୍ରଗତିକୁ ଖତିଆନ କରିଥିବା ସାଂସଦ ସୂଚନା ଦେଇଛନ୍ତି।





