ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିବା Ishan Kishan ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ୨୦୨୩ ପର୍ଯ୍ୟନ୍ତ ଭାରତୀୟ ଦଳର ଯୋଜନାର ଅଂଶ ଥିବା ଏହି ବାମହାତୀ ୱିକେଟକିପର୍-ବ୍ୟାଟର୍ ପରବର୍ତ୍ତୀ ଦୁଇ ବର୍ଷ ବିଭିନ୍ନ କାରଣରୁ ଦଳରୁ ବାହାରେ ଥିଲେ। କିନ୍ତୁ ଏହି ବିରତି ସମୟରେ ସେ ନିଜକୁ ଆହୁରି ପରିପକ୍ବ କରି ଫଳପ୍ରଦ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଘରୋଇ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ ପରେ ଚୟନକର୍ତାମାନେ ତାଙ୍କୁ ପୁନର୍ବାର ଦଳକୁ ଡାକିବାକୁ ବାଧ୍ୟ ହୋଇଥିଲେ। Sanju Samsonଙ୍କ ଲଗାତାର ବିଫଳତା ତାଙ୍କୁ ସୁଯୋଗ ଦେଇଥିଲେ ବି, ଈଶାନ ସେହି ସୁଯୋଗକୁ ଦୁଇହାତରେ ମାଡ଼ି ନେଇଛନ୍ତି। ଏପରିକି ବାମହାତୀ ଓପନର୍ Abhishek Sharmaଙ୍କ ଉପରେ ମଧ୍ୟ ଚାପ ବଢ଼ିଛି ଲଗାତାର ଭଲ କରିବା ପାଇଁ।
ଝାରଖଣ୍ଡ ପାଇଁ ରଣଜୀ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ପ୍ରଚୁର ରନ୍ କରି ସେ ଦଳର ଦ୍ୱାର ଖୋଲିଥିଲେ। ଏପରିକି Shubman Gillଙ୍କୁ ଟ୍ବେଣ୍ଟି-୨୦ ଦଳରୁ ବାଦ ଦେବା ପରି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ଈଶାନଙ୍କ ଫର୍ମ ଦେଖି।
୨୦୨୩ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଲଢ଼ୁଆ ୮୨ ରନ୍ ଓ ଦିନିକିଆରେ ଦ୍ୱିଶତକ ସହ ତାଙ୍କ ପ୍ରତିଭା ପୂର୍ବରୁ ପ୍ରମାଣିତ ଥିଲା। କିନ୍ତୁ ଚଳିତ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ୪୦ ବଲ୍ରେ ୭୭ ରନ୍ କରିବା ପରେ ‘ଈଶାନ ୨.୦’ ରୂପ ସମ୍ମୁଖରେ ଆସିଛି। ପାକିସ୍ତାନ ମୁଖ୍ୟ ପ୍ରଶିକ୍ଷକ Mike Hesson ମଧ୍ୟ ତାଙ୍କୁ “ନିର୍ଭୟ କ୍ରିକେଟର୍” ବୋଲି ପ୍ରଶଂସା କରିଛନ୍ତି।
ନିଜ ବ୍ୟାଟିଂ ଆଭିମୁଖ୍ୟ ନେଇ ଈଶାନ କହିଛନ୍ତି ଯେ ସେ ଅଫସାଇଡ୍ ଗେମ୍ ଉପରେ ଅଧିକ କାମ କରିଛନ୍ତି ଓ ଫାଙ୍କା ଜାଗା ଦେଖି ଖେଳିବାରେ ଧ୍ୟାନ ଦେଇଛନ୍ତି। ଦୁଇ ରନ୍ ନେବାରେ ମଧ୍ୟ ସେ ଚେଷ୍ଟାଶୀଳ ରହୁଛନ୍ତି। ଏହା ତାଙ୍କ ପରିପକ୍ବତାକୁ ଦର୍ଶାଉଛି।
ପରିସଂଖ୍ୟାନରେ ଈଶାନ ୨.୦:
- ୩୯ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୧୬୯ ରନ୍
- ହାରାହାରି: ୩୦.୭୬
- ଷ୍ଟ୍ରାଇକ୍ ରେଟ୍: ୧୪୩.୭୮
- ୧ ଶତକ, ୯ ଅର୍ଦ୍ଧଶତକ, ୬୨ ଛକା
ବିରତି ପରେ ଚଳିତ ବର୍ଷ ୭ଟି ମ୍ୟାଚ୍ରେ ୫୩.୨୮ ହାରାହାରି ଓ ୨୧୫.୬୦ ଷ୍ଟ୍ରାଇକ୍ ରେଟ୍ ସହ ଖେଳିଛନ୍ତି। ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ଶତକ ସହ ୩ ଅର୍ଦ୍ଧଶତକ ଓ ୨୬ ଛକା ମାରିଛନ୍ତି।
ଚଳିତ ବିଶ୍ୱକପ୍ରେ ୩ ପାଳିରେ ୨୦, ୬୧ ଓ ୭୭ ରନ୍ ସହ ହାରାହାରି ୫୨.୬୬ ଓ ଷ୍ଟ୍ରାଇକ୍ ରେଟ୍ ୧୯୭.୫୦ ରହିଛି। ତାଙ୍କ ବ୍ୟାଟ୍, ହାରାହାରି ଓ ଷ୍ଟ୍ରାଇକ୍ ରେଟ୍ ସବୁ କହୁଛି— ଏହା ନୂଆ ଏବଂ ଅଧିକ ଭୋକିଲା ଈଶାନ କିଶନ।





